ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର

Published By : Prameya-News7 Bureau | January 28, 2022 IST

ନୂଆଦିଲ୍ଲୀ, ୨୮/୦୧:ଭାରତ ସରକାର ଅତିଶୀଘ୍ର ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ନାଁ ଘୋଷଣା କରିପାରନ୍ତି । ସୂତ୍ରାନୁସାରେ, ଭେଙ୍କଟରମଣ ଅନନ୍ତ ନାଗେଶ୍ୱରନଙ୍କ ନାଁ ଏହି ପଦ ପାଇଁ ସବୁଠାରୁ ଆଗରେ ରହିଛି । ଏବେ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପଦବୀ ଖାଲି ଅଛି । ଗତ ଡିସେମ୍ବର ୨୦୨୧ରେ କେଭି ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ସରିବା ପରେ ସରକାର ଆଉ କାହାକୁ ନିଯୁକ୍ତି ଦେଇନଥିଲେ ।

ଏବେ ଭାରତ ଏସିଆର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ଅଟେ । ଦେଶକୁ କରୋନା ସଙ୍କଟରୁ ମୁକୁଳାଇବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଭାରତ ବିଶ୍ୱରେ ସବୁଠାରୁ ଅଧିକ ବେଗରେ ବିକାଶ କରୁଛି । ଏହି ସବୁ କାରଣ ପାଇଁ ସରକାର ନୂଆ ଆର୍ଥିକ ପରାମର୍ଶଦାତା ନିଯୁକ୍ତି ପାଇଁ ଜୋରଦାର କସରତ ଆରମ୍ଭ କରିଦେଇଛନ୍ତି ।

ଦେଶର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅର୍ଥନୈତିକ ମାମଲାରେ ଅର୍ଥମନ୍ତ୍ରୀଙ୍କୁ ପରାମର୍ଶ ଦେଇଥାନ୍ତି । ଏହାସହ ସେ ଇକୋନୋମିକ ସର୍ଭେର ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଯାହା ସଂସଦରେ ବଜେଟ ଅଧିବେଶନ ପୂର୍ବରୁ ଆଗତ ହୋଇଥାଏ ।

କିଏ ନାଗେଶ୍ୱରନ ?

ଭି. ଅନନ୍ତ ନାଗେଶ୍ୱରନ ଆନ୍ଧ୍ରପ୍ରଦେଶରେ କ୍ରିୟା ବିଶ୍ୱବିଦ୍ୟାଳୟର ଅର୍ଥନୀତିରେ ଅତିଥି ଅଧ୍ୟାପକ ଅଟନ୍ତି । ସେ ବାଣିଜ୍ୟ ଓ ଆର୍ଥିକ ମାମଲାରେ ଦକ୍ଷ ଅଟନ୍ତି । ୧୯୮୫ରେ ସେ ଆଇଆଇଏମ ଅହମ୍ମଦାବାଦରୁ ଏମବିଏ ପଢିଥିଲେ । ଏହାସହ ମାସାଚ୍ୟୁଟସ୍ ଏମହଷ୍ଟ୍ ବିଶ୍ୱବିଦ୍ୟାଳୟରେ ଡକ୍ଟରେଟ୍ ଉପାଧି ହାସଲ କରିଥିଲେ ।

ଆହୁରି ମଧ୍ୟ ସେ ୨୦୧୮ରୁ ୨୦୧୯ ଯାଏଁ ଆଇଏଫଏମ ଗ୍ରାଜୁଏଟ ସ୍କୁଲ ଅଫ୍ ବିଜନେସରେ ଡିନ୍ ରହି ସାରିଛନ୍ତି । ୨୦୧୯ରୁ ୨୧ ଯାଏଁ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଇକୋନୋମିକ ଆଡବାଇଜାରୀ କାଉନସିଲର ପାର୍ଟ ଟାଇମ୍ ସଦସ୍ୟ ନିଯୁକ୍ତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.