୩୦ରେ କେନ୍ଦ୍ରରେ ନୂଆ ସରକାର, ପ୍ରଧାନମନ୍ତ୍ରୀ ଭାବେ ଦ୍ବିତୀୟ ଇଂନିସ ଆରମ୍ଭ କରିବେ ମୋଦି ଆଜି ବିଜେପି ସଂସଦୀୟ ଦଳ ସହ ଏନଡିଏ ନେତାଙ୍କ ବୈଠକ

Published By : Prameya-News7 Bureau | May 25, 2019 IST

ନୂଆଦିଲ୍ଲୀ ୨୫|୫: କେନ୍ଦ୍ରରେ ସରକାର ଗଠନ ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଐତିହାସିକ ବିଜୟ ହାସଲ ପରେ ବିଜେପି ଏବେ ସରକାର ଗଠନ ନେଇ ପ୍ରସ୍ତୁତିରେ ଲାଗିପଡିଛି । ଆଜି ବସିବ ବିଜେପି ସଂସଦୀୟ ଦଳ ବୈଠକ । ବୈଠକରେ ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳର ନେତା ନିର୍ବାଚନ ପାଇଁ କେବଳ ଔପଚାରିକତା ରହିଯାଇଛି ।  ବୈଠକକୁ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଛି ।

ବିଜେପି ବୈଠକ ପରେ ନବନିର୍ବାଚିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ, ଏନ୍‌ଡିଏ ସାଂସଦଙ୍କର ବୈଠକ ବସିବ । ସଂସଦ ଭବନର କେନ୍ଦ୍ରୀୟ ହଲ୍ ରେ ସନ୍ଧ୍ୟା ୫ଟାରେ ଏହି ବୈଠକ ବସିବ। ନରେନ୍ଦ୍ର ମୋଦିଙ୍କୁ ପୁନଃ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପୂର୍ବରୁ ଘୋଷଣା କରାଯାଇଥିବାରୁ ଏହି ବୈଠକରେ ତାଙ୍କୁ ବିଧିବଦ୍ଧ ଭାବେ ନେତା ନିର୍ବାଚନ କରାଯିବ । ମୋଦି ନବନିର୍ବାଚିତ ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି ।

ଏନଡିଏ ବୈଠକରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାସ ପାଶ୍ବାନଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ । ବୈଠକ ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ପୃଥକ ପୃଥକ ଭାବେ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ୩୦ରେ ନୂଆ ସରକାର ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.