ମହିଳା ସୁରକ୍ଷା ନେଇ ସାଂଘାତିକ ତଥ୍ୟ: ମହାରାଷ୍ଟ୍ରରେ ପ୍ରତିଦିନ ୧୦୫ ମହିଳା ନିରୁଦ୍ଧିଷ୍ଟ, ଜବରଦସ୍ତି ବେଶ୍ୟାବୃତ୍ତିରେ ଫସୁଛନ୍ତି ୧୭

Published By : Prameya-News7 Bureau | October 20, 2020 IST

ପୁଣେ ୨୦/୧୦: ଦେଶରେ ବଢ଼ୁଛି ନାରୀ ନିର୍ଯାତନା ! ମହିଳା ସୁରକ୍ଷାକୁ ନେଇ ଉଠିଛି ବିରାଟ ପ୍ରଶ୍ନବାଚୀ।  ଗୋଟିଏ ପଟେ ମହିଳା ସଶକ୍ତିକରଣ କଥା ଆସୁଥିବା ବେଳେ ଅନ୍ୟ ପଟେ ମହିଳାମାନଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟରୁ  ମିଳିଥିବା ତଥ୍ୟ ଏବେ ଚିନ୍ତାର କାରଣ ପାଲଟିଛି।

ଏନସିଆରବି ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ମହିଳା ବେଶି ନିର୍ଯାତିତ । କେବଳ ମହାରାଷ୍ଟ୍ରରେ ପ୍ରତି ଦିନ ୧୦୫ ମହିଳା ନିଖୋଜ ହୋଇଯାଉଛନ୍ତି। ଗୋଟିଏ ଦିନରେ ୧୦୫ ମହିଳା ନିରୁଦ୍ଦିଷ୍ଟ ହେଉଥିବା ନେଇ ଏନସିଆରବି ରିପୋର୍ଟ ସରକାରଙ୍କ ମହିଳା ସଶକ୍ତିକରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହା ସହ ନାରୀ ନିର୍ଯାତନାକୁ ନେଇ ଅନ୍ୟ ଏକ ସଂଘାତିକ ତଥ୍ୟ ମଧ୍ୟ ମିଳିଛି। ମହାରାଷ୍ଟ୍ରରେ ପ୍ରତି ସପ୍ତାହରେ ୧୭ ମହିଳାଙ୍କୁ ଜବରଦସ୍ତି ବେଶ୍ୟାବୃତ୍ତିରେ ଲଗାଯାଉଛି । ମିଳିଥିବା ରିପୋର୍ଟରେ ନାରୀ ନିର୍ଯାତନା ମାମଲାରେ ମହାରାଷ୍ଟ୍ର ପ୍ରଥମରେ ଥିବା ବେଳେ ତଳକୁ ଅଛନ୍ତି ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ।

ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍‌ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ୯୮୯ ଅପହରଣ ମାମଲା ମଧ୍ୟରୁ ୮୮ ପ୍ରତିଶତ ମହିଳା ଥିବା ବେଳେ ୬ ପ୍ରତିଶତ ଶିଶୁ। ଡାଟା କହୁଛି ବିଶେଷ କରି ବନ୍ଧା ଶ୍ରମିକ, ଅଙ୍ଗ ଚୋରି, ଜବରଦସ୍ତି ବିବାହ, ନିଶା ସେବନ ଓ ଯୌନ ଶୋଷଣ କାର୍ଯ୍ୟ ପାଇଁ ସେମାନଙ୍କୁ ଅପହରଣ କରାଯାଉଛି।

 ମହାରାଷ୍ଟ୍ରରେ ୨୦୧୮ ତୁଳନାରେ ୨୦୧୯ରେ ୧୩ ପ୍ରତିଶତ ବୃଦ୍ଧି ପାଇଛି ମହିଳାଙ୍କ ନିରୁଦ୍ଦିଷ୍ଟ ମାମଲା। ୯୫ ପ୍ରିତିଶତ ପୀଡ଼ିତା ଦେହ ବେପାର ମାଧ୍ୟରେ ​‌​‌ଯୌନ ଶୋଷଣର ଶିକାର ହେଉଛନ୍ତି। ପିଲା ଚୋରି ମାମଲା​‌ରେ ୨୦୧୮ ପର୍ଯ୍ୟନ୍ତ ମହାରାଷ୍ଟ୍ର ଶୀର୍ଷ ୧୦ରେ ଥିବା ବେଳେ ଏବେ ୪୫୬୨ ପିଲା ନିଖୋଜ ମାମଲା ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛି ରାଜ୍ୟ। ସେମାନଙ୍କ ମଧ୍ୟରୁ ୫୫ ପ୍ରତିଶତ ଝିଅ ଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.