ଗଞ୍ଜାମରେ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ସମାରୋହ ପାଳିତ

Published By : Prameya-News7 Bureau | January 25, 2022 IST

ଖଲ୍ଲିକୋଟ, ୨୫।୦୧: ଦ୍ୱାଦଶ ଜାତୀୟ ମତଦାତା ଦିବସ-୨୦୨୨ ଗଂଜାମ ଜିଲ୍ଲା ସ୍ତରୀୟ ସମାରୋହ ମଙ୍ଗଳବାର ଛତ୍ରପୁର ସ୍ଥିତ ଜିଲ୍ଲାପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଗଂଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କହିଥିଲେ ଯେ ବିଶ୍ୱରେ ଭାରତ ସବୁଠୁ ବଡ ଗଣତନ୍ତ୍ର ରାଷ୍ଟ୍ର । ଭୋଟର ହେଉଛନ୍ତି ଏହାର ମୂଳଦୁଆ । ଭୋଟରଗଣ ଯେତେ ମାତ୍ରାରେ ସୁଦୃଢ ହେବେ ଭାରତର ଗଣତନ୍ତ୍ର ସେତେ ମାତ୍ରାରେ ମଜବୁତ ହେବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ ।

ସେ ଆହୁରି କହିଥିଲେ ଯେ ସବୁ ମତଦାତା କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ସଚେତନ ସହ ନିଜର ବିବେକକୁ ନେଇ ଭୋଟ ଦାନ କଲେ ଠିକ୍ ପ୍ରତିନିଧି ନିର୍ବାଚିତ ହୋଇପାରିବେ । ଭୋଟର ତାଲିକା ପ୍ରସ୍ତୁତ ଠାରୁ ଆରମ୍ଭ କରି ଭୋଟରଙ୍କ ଘରକୁ ଘର ଯାଇ ଏନେଇ ସଚେତନ କରିଥିବାରୁ ଏବଂ ଏହାର ସଫଳତା ମିଳୁଥିବାରୁ ବୁଥ୍ ସ୍ତରୀୟ ଅଫିସର ମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ ପ୍ରଥମ କରି ଭୋଟର ତାଲିକାରେ ନାଁ ସଂଯୋଗ କରିଥିବା ଯୁବ ଭୋଟରମାନଙ୍କୁ ଭୋଟ ପରିଚୟ ପତ୍ର ଜିଲ୍ଲାପାଳ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଏଥିରେ ଯୋଗଦେଇ ସମସ୍ତ ଭୋଟର ନିଜର ମତଦାନ ସାବ୍ୟସ୍ତ କଲେ ଗଣତନ୍ତ୍ର ସୁଦୃଢ ହୋଇପାରିବ ଏବଂ ଏହାଦ୍ୱାରା ଏହାର ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.