ଦ୍ୱିତୀୟ ଇଂନିସ ଆରମ୍ଭ କଲେ କଟକ-ଚୌଦ୍ୱାର ବିଧାୟକ, ଅନନ୍ୟାଙ୍କ ସହ ପଡିଲା ହାତଗଣ୍ଠି: ଲୋଟସ୍‌ ରିସର୍ଟସ୍‌ ହୋଟେଲ୍‌ରେ ଭବ୍ୟ ଉତ୍ସବ

Published By : Prameya-News7 Bureau | May 13, 2022 IST

କଟକ ୧୩/୦୫: ଚୌଦ୍ୱାର-କଟକର ଯୁବ ବିଧାୟକ ସୌଭିକ୍‌ ବିଶ୍ୱାଳ ଗୁରୁବାର ଦିନ ତାଙ୍କ ଜୀବନର ଅନ୍ୟତମ ମହତ୍ୱପୂର୍ଣ୍ଣ ଇନିଂସ୍‌ ଆରମ୍ଭ କରି ବୈବାହିକ ବନ୍ଧନରେ ବାନ୍ଧି ହୋଇଛନ୍ତି । ପବିତ୍ର ଲକ୍ଷ୍ମୀ ନାରାୟଣ ବ୍ରତରେ ସେ ସହପାଠିନୀ ଅନନ୍ୟା ପ୍ରିୟଦର୍ଶିନୀଙ୍କୁ ନିଜ ଜୀବନସାଥୀ କରିଛନ୍ତି ।
ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ଥିବା ଲୋଟସ୍‌ ରିସର୍ଟସ୍‌ ହୋଟେଲ୍‌ରେ ଅନୁଷ୍ଠିତ ଭବ୍ୟ ଉତ୍ସବରେ ସୌଭିକ ଓ ଅନନ୍ୟାଙ୍କ ବିବାହ ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ସଂପନ୍ନ ହୋଇଛି ।

ମାହେନ୍ଦ୍ରବେଳା ଦେଖି ଦିନ ପ୍ରାୟ ସାଢେ ୧୨ଟାରେ ମହାନଦୀବିହାର ବାସଭବନରୁ ସୌଭିକ୍‌ ବର ବେଶରେ ବାହାରିଥିଲେ । ସେ ପ୍ରଥମେ ଭୁବନେଶ୍ୱର ସ୍ଥିତ ଗ୍ରୀନ୍‌ ରିସର୍ଟକୁ ଯାଇଥିଲେ । ସେଠାରୁ ଆତ୍ମୀୟସ୍ୱଜନ ଓ ସମ୍ପର୍କୀୟଙ୍କ ସହିତ ସେ ପୁରୀ କୋଣାର୍କ ମେରାଇନ୍‌ ରୋଡ୍‌ ସ୍ଥିତ ରାମଚଣ୍ଡୀଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ । ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ସୌଭିକ୍‌ଙ୍କ ଶୋଭାଯାତ୍ରା ।

ବରଯାତ୍ରୀଙ୍କ ଗହଣରେ ସେ କନ୍ୟାପକ୍ଷ ରହିଥିବା ଲୋଟସ୍‌ ରିସର୍ଟସ୍‌ ହୋଟେଲରେ ପହଞ୍ଚିଥିଲେ । ସେଠାରେ ଅଗ୍ନିକୁ ସାକ୍ଷୀ ରଖି ସେ ଅନନ୍ୟାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ଉତ୍ସବକୁ ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ ହୋଟେଲ୍‌ରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ବିବାହ ପରେ ଏକ ପାର୍ଟି ମଧ୍ୟ ଆୟୋଜିତ ହୋଇଥିଲା । ଯେଉଁଥିରେ ନବବଧୂ ‘ଅନନ୍ୟା’ ଓ ସୌଭିକ୍‌ ଉପସ୍ଥିତ ଅତିଥିଙ୍କୁ ସ୍ୱାଗତ କରିଥିଲେ । ପରେ ପତ୍ନୀଙ୍କୁ ଧରି ସୌଭିକ ମହାନଦୀବିହାର ସ୍ଥିତ ଘରକୁ ଫେରିଛନ୍ତି । ଆସନ୍ତା ସପ୍ତାହରେ ଏକାଧିକ ସ୍ଥାନରେ ରିସେପ୍‌ସନ୍‌ ପାର୍ଟି ଆୟୋଜନ ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.