୫ ମିନିଟ୍‌ରେ ଜଣାପଡିଯିବ କ୍ଷୀରରେ କେତେ ମିଶିଛି ପାଣି, ଆସିଲା ସ୍ୱତନ୍ତ୍ର କିଟ୍‌

Published By : Prameya-News7 Bureau | January 17, 2022 IST

ନୂଆଦିଲ୍ଲୀ ୧୭/୦୧; କ୍ଷୀରରେ ପାଣି ମିଶିଥିଲେ ୫ମିନିଟ୍‌ରେ ହୋଇଯିବ ସ୍ପଷ୍ଟ। ୫ଟଙ୍କା ଦେଲେ ସବୁକିଛି ହୋଇଯିବ ଦୁଧ୍‌ କା ଦୁଧ୍‌ ପାନି କା ପାନି। କ୍ଷୀରରେ ପାଣିର ପରିମାଣକୁ ଜାଣିବା ପାଇଁ ଏକ ସ୍ବତନ୍ତ୍ର କିଟ୍‌ ପ୍ରସ୍ତୁତ ହୋଇଛି। ହରିୟାଣା କରନଲ୍‌ର ବବ୍ବର ସିଂହ ଏବଂ ମନୋଜ ମୋର୍ଯ୍ୟ ମିଶି ଏହି କିଟ୍‌ ପ୍ରସ୍ତୁତ କରିଛନ୍ତି। ଏହି କିଟ୍‌ର ନାଁ ରହିଛି ‘ଡେଲ୍‌ ଷ୍ଟ୍ରିପ୍‌’।

ବବ୍ବର ଏବଂ ମନୋଜ  ‘ଡେଲ୍‌ମୋସ ରିସର୍ଚ୍ଚ’ ନାମକ ଏକ କମ୍ପାନୀ ମଧ୍ୟ କରିଛନ୍ତି। କରନଲ୍‌ର ନ୍ୟାସନାଲ୍‌ ଡାଏରୀ ରିସର୍ଚ୍ଚ ଇନ୍‌ଷ୍ଟିଟ୍ୟୁଟ୍‌ରୁ ଡାଏରୀ ଟେକ୍‌ନଲୋଜିରେ ଡିଗ୍ରୀ ହାସଲ କରିବା ପରେ ଦୁହେଁ ମଦର ଡାଏରୀ, ଅମୁଲ୍‌ ଡାଏରୀ ପରି କମ୍ପାନୀରେ କାମ କଲେ। ତେବେ ନିଜସ୍ବ କିଛି କରିବା ଉଦ୍ଦେଶ୍ୟରେ ଦୁହେଁ ଡେଲ୍‌ମୋସ୍‌ ରିସର୍ଚ୍ଚର ଆରମ୍ଭ କରିଛନ୍ତି। ଏହି କମ୍ପାନୀରେ ସେ ‘ଡେଲ୍‌ ଷ୍ଟ୍ରିପ୍‌’ ନାମକ ପ୍ରଡକ୍ଟ ତିଆରି କରିଛନ୍ତି। ଏହି ପ୍ରଡକ୍ଟକୁ ବ୍ୟବହାର କରିବା ଏତେ ସହଜ ଯେ ଏହାକୁ କମ୍‌ ପ୍ରଶିକ୍ଷଣ ନେଇଥିବା ବ୍ୟକ୍ତି ମଧ୍ୟ ବ୍ୟବହାର କରିପାରିବେ। ସେ ବି ମାତ୍ର ୫ଟଙ୍କା ଖର୍ଚ୍ଚ କରି।

ଏହି ଷ୍ଟ୍ରିପ୍‌ରେ ଏଞ୍ଜାଇମ୍‌ ଏବଂ ଭିନ୍ନ ପ୍ରକାରର କେମିକାଲ୍ ବ୍ୟବହାର ହୋଇଥାଏ। ଟେଷ୍ଟିଂ ସମୟରେ ପାଣିର ଅଂଶ ବାଜି ଏଥିରୁ ଏକ ଭିନ୍ନ ରଙ୍ଗ ବାହାରିଥାଏ।

ଏହି ରଙ୍ଗକୁ ଏକ କଲର୍‌ ଚାଟ୍‌ରେ ମିଶାଯାଇଥାଏ। ଯାହାଦ୍ବାରା ଜଣା ପଡିଯାଏ ଯେ କ୍ଷୀରରେ କେତେ ପରିମାଣରେ ପାଣି ମିଶିଛି। କେମିକାଲ୍‌ ଟେଷ୍ଟିରେ କ୍ଷୀରରେ ପାଣି ମିଶିଛି ନା ନାହିଁ ଜଣା ପଡୁଥିବା ବେଳେ ଏହି କିଟ୍‌ରେ କେତେ ପରିମାଣରେ ପାଣି ମିଶିଥିବା ଜଣାପଡେ।

ଏହି ଷ୍ଟ୍ରିପ୍‌ର ରଙ୍ଗ ହଳଦିଆ। ଏହାକୁ କ୍ଷୀରରେ ପକାଇବା ପରେ ଯଦି ନୀଳ ରଙ୍ଗର ହୋଇଯିବ ତେବେ ଜଣାଯାଏ ଯେ କ୍ଷୀରରେ ପାଣି ମିଶିଛି। ଏହି ଟେଷ୍ଟିଂ ପାଇଁ ୫-୧୦ ସେକେଣ୍ଟରୁ ୬ ମିନିଟ୍‌ ପର୍ଯ୍ୟନ୍ତ ସମୟ ଲାଗିଥାଏ। ଏହି କିଟ୍‌କୁ ୬ମାସ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.