ଲଣ୍ଡନରେ କରୋନା ଅଣାୟତ୍ତ, ମେୟର ଘୋଷଣା କଲେ ‘ମେଜର ଇନ୍‌ସିଡେଣ୍ଟ’

Published By : Prameya-News7 Bureau | January 08, 2021 IST

ଲଣ୍ଡନ ୦୮/୦୧:  ଇଂଲଣ୍ଡ ରାଜଧାନୀ ଲଣ୍ଡନରେ ଏବେ କରୋନା ପୁଣି ଥରେ ତାଣ୍ଡବ ରଚିଛି। ଦିନକୁ ଦିନ ସ୍ଥିତି ଅଣାୟତ୍ତ ଆଡ଼କୁ ଯାଉଛି। ଏପରିକି ହସ୍ପିଟାଲରେ ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ବି ବଢ଼ୁଛି। ଏହାକୁ ନଜରରେ ରଖି ଲଣ୍ଡନ ମେୟର ‘ମେଜର ଇନସିଡେଣ୍ଟ’(ବଡ଼ ଘଟଣା) ବୋଲି ଘୋଷଣା କରିଛନ୍ତି। ଏହାର ଅର୍ଥ କୌଣସି ବିଷମ  ପରିସ୍ଥିତିରେ ଘୋଷଣା କରାଯାଉଥିବା ଜରୁରୀକାଳୀନ ପରିସ୍ଥିତିକୁ ବୁଝାଏ। ପୁଣିଥରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ନେଇ ମେୟର ସାଦିକ୍‌ ଖାନ ଶୁକ୍ରବାର ଏହାକୁ ‘ମେଜର ଇନସିଡେଣ୍ଟ’ ବୋଲି ଘୋଷଣା କରିଛନ୍ତି।

ସାଦିକ୍‌ ଖାନ ରାଜଧାନୀବାସୀଙ୍କୁ ଘରେ ରହିବା ସହ ହସ୍ପିଟାଲରେ ଅଜଥା ଭିଡ଼ ନଜମାଇବା ପାଇଁ ଅପିଲ୍‌ ମଧ୍ୟ କରିଛନ୍ତି। ଲଣ୍ଡନରେ ସ୍ଥିତି ଅଣାୟତ୍ତ ଆଡ଼କୁ ଯାଇଥିବା ବେଳେ ପ୍ରତି ଦିନ ୮୦୦୦ କଲ୍‌ ଆମ୍ବୁଲାନ୍ସ ପାଖକୁ ଯାଉଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ କର୍ମଚାରୀ, ଦଳୀୟ ନେତା, ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ଆଲୋଚନା ପରେ ମେୟର ସାଦିକ୍‌ ଖାନ୍‌ ‘ମେଜର ଇନସିଡେଣ୍ଟ’ ଘୋଷଣା କରିଛନ୍ତି।

ପୁଣିଥରେ ଲଣ୍ଡନରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରେ ହଜାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଯାହାକି ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ୩୦ ଡିସେମ୍ବରରୁ ୬ ଜାନୁଆରୀ ମଧ୍ୟରେ ଲଣ୍ଡନ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟାରେ ୨୭ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଭେଣ୍ଟିଲେଟର‌ରେ ରୋଗୀଙ୍କ ସଂଖ୍ୟାରେ ୪୨ ପ୍ରତିଶତ ବୃଦ୍ଧି ଘଟିଛି। କେବଳ ୬ ଦିନ ମଧ୍ୟରେ ଭେଣ୍ଟିଲେଟରରେ ୨୬୮ ରୋଗୀ ରହିଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ୪୭୭ରେ ପହଞ୍ଚିଲାଣି।

ଲଣ୍ଡନରେ ସ୍ଥିତି ଅଣାୟତ୍ତ। ଆୟତ୍ତରେ ନାହିଁ କରୋନା ମହାମାରୀ। ଲଣ୍ଡନରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେବେ ଗତ ଏପ୍ରିଲ୍‌ ଭଳି ସ୍ଥିତି ହୋଇଯାଇଛି ବୋଲି ମେୟର ସାଦିକ୍‌ ଖାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.