ସିଟି ବ୍ୟାଙ୍କ ଠକେଇର ମାଷ୍ଟରମାଇଣ୍ଡ ପୁଣି ଗିରଫ, କୋର୍ଟ ସମନ ସତ୍ତ୍ଵେ ଥିଲେ ଫେରାର, ୪୦୦ କୋଟି ହଡପରେ ମୁଖ୍ୟ କାର୍ପଟଦାର

Published By : Prameya-News7 Bureau | November 16, 2020 IST

ନୂଆଦିଲ୍ଲୀ ୧୬/୧୧ : ସିଟି ବ୍ୟାଙ୍କ ସ୍କାମ୍ ମାମଲାର ମାଷ୍ଟରମାଇଣ୍ଡ ଶିବରାଜ ପୁରୀଙ୍କୁ ପୁଣି ଗିରଫ କରିଛି ପୋଲିସ । ପୂର୍ବରୁ ପ୍ରାୟ ୪ ଶହ କୋଟି ଟଙ୍କାର ସିଟି ବ୍ୟାଙ୍କ ଠକେଇ ମାମଲାରେ ଗିରଫ ହୋଇଥିଲେ ଶିବରାଜ ପୁରୀ । ୨୦୧୦ରେ ସିଟି ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁରେ ୪ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ଆସିଥିଲା ।

ସୂଚନା ମୁତାବକ ସେ ଗୁରଗାଓଁର ଏକ ସିଟି ବ୍ୟାଙ୍କରେ କାର୍ଯ୍ୟରତ ଥିଲେ । ବ୍ୟାଙ୍କର କାଗଜପତ୍ରକୁ କୌଣସି ମତେ ଜାଲିଆତି କରି ସେହି ବ୍ୟାଙ୍କରେ ଆକାଉଣ୍ଟ ଥିବା ଲୋକଙ୍କ ଖାତାରୁ ପ୍ରାୟ ୪ ଶହ କୋଟି ହଡପ କରି ଅନ୍ୟ ଘରୋଇ ବ୍ୟାଙ୍କକୁ ଟ୍ରାନସଫର କରିନେଇଥିଲେ । ତେବେ ବ୍ୟାଙ୍କ ପକ୍ଷରୁ ଅଭିଯୋଗ କରାଯିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଅଢେଇ ବର୍ଷ ଜେଲରେ ରହିବା ପରେ ଜାମିନରେ ଆସିଥିଲେ ଶିବରାଜ । ପୁନଶ୍ଚ ସେହି ମାମଲାରେ ୨୦୧୮ରେ ହାଜର ହେବାକୁ କୋର୍ଟ ସମନ ଜାରିକରିଥିବା ବେଳେ ଆଉ ଧରାଛୁଆଁ ଦେଇନଥିଲେ ଶିବରାଜ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ଟେର ପାଇନଥିଲା ପୋଲିସ ।  

ନଭେମ୍ବର ୧୩ରେ ଶିବରାଜ ଡେରାଡୁନରେ ଲୁଚିଥିବା କୌଣସି ସୂତ୍ରରୁ ଖବର ପାଇଥିଲା ପୋଲିସ । ସେଠାରେ ସେ ତାଙ୍କର ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିଲେ । ତେବେ ପୋଲିସ ସେହି ସ୍ଥାନରେ ଚଢାଉ କରି ତାଙ୍କୁ ଗିରଫ କରିବା ସହ ନ୍ୟାୟିକ ହେପାଜତକୁ ପଠାଇଛି । ଏହି ଘଟଣାର ତଦନ୍ତ ଚାଲିଛି ବୋଲି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳର ମୁଖ୍ୟ ଏସିପି (କ୍ରାଇମ) ପ୍ରୀତ ପାଲ ସାଙ୍ଗୱାନ କହିଛନ୍ତି। ତେବେ ଶିବରାଜ ଆହୁରି ଅନେକ ଅପରାଧିକ ମାମଲାରେ ଜଡିତ ଥିବା ଜାଣିବାକୁ ପାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.