କଟା ଆଙ୍ଗୁଠି ଧରି ବିମାନରେ ଦୁବାଇରୁ ଆସିଲେ ଦିଲ୍ଲୀ, ୨୨ ଘଣ୍ଟା ପରେ ଯୋଡିଦେଲେ ଡାକ୍ତର

Published By : Prameya-News7 Bureau | December 08, 2021 IST

ନୂଆଦିଲ୍ଲୀ ୦୮/୧୨: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । ବେଳେବେଳେ ଡାକ୍ତରମାନେ ଏପରି ଚମତ୍କାର କରନ୍ତି ଯାହା ଆଶ୍ଚର୍ଯ୍ୟଜନକ ହୋଇଥାଏ। ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଛି। ଏହି ବ୍ୟକ୍ତି ଦୁବାଇରେ କାମ କରୁଥିଲେ। ଏକ ଦୁର୍ଘଟଣାରେ ତାଙ୍କ ଆଙ୍ଗୁଠି କଟି ଯାଇଥିଲା। କିନ୍ତୁ ସେ ଚିକିତ୍ସା ପାଇଁ ସେହି କଟା ଆଙ୍ଗୁଠି ଧରି ଦୁବାଇରୁ ଦିଲ୍ଲୀ ଆସିଥିଲେ। ସନ୍ଦୀପଙ୍କ ପାଇଁ ଭାରତୀୟ ଡାକ୍ତରମାନେ ଯାହା କରିଥିଲେ ତାହା କୌଣସି ଚମତ୍କାର ଠାରୁ କମ୍ ନଥିଲା ।

ସୂଚନା ଅନୁଯାୟୀ, ସନ୍ଦୀପ ନାମକ ଜଣେ ବ୍ୟକ୍ତି ଦୁବାଇରେ କାର୍ପେଟର ଭାବରେ କାମ କରୁଥିଲେ। ଏକ ଦୁର୍ଘଟଣାରେ ତାଙ୍କ ହାତର ଆଙ୍ଗୁଠି କଟି ଯାଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁବାଇର ଡାକ୍ତର କହିଥିଲେ ଆଙ୍ଗୁଠି ଲଗାଇବା ପାଇଁ ୪ ଘଣ୍ଟା ମଧ୍ୟରେ ଅସ୍ତ୍ରୋପଚାର କରିବାକୁ ପଡିବ ଏବଂ ଏଥିପାଇଁ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ସନ୍ଦୀପଙ୍କ ପକ୍ଷରେ ଏତେ ଟଙ୍କା ଦେବା ସମ୍ଭବ ନଥିଲା। ତେଣୁ ସେ ସମୟ ନଷ୍ଟ ନକରି ସେହି କଟା ଆଙ୍ଗୁଠିକୁ ଧରି ଦୁବାଇରୁ ବିମାନରେ ଦିଲ୍ଲୀ ଆସିଥିଲେ। ଏହି ସମୟ ମଧ୍ୟରେ ତାଙ୍କର ୩୦୦ ମିଲି ରକ୍ତ ବୋହିସାରିଥିଲା। ତାଙ୍କୁ ତୁରନ୍ତ ବିମାନବନ୍ଦର ନିକଟ ଆକାଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସନ୍ଦୀପଙ୍କୁ ଡାକ୍ତରଖାନା ଆଣିବାର ୧୦-୧୫ ମିନିଟ ମଧ୍ୟରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ଡାକ୍ତରଙ୍କ ଏକ ଟିମ୍ ତାଙ୍କ ପାଇଁ ପୂର୍ବରୁ ପ୍ରସ୍ତୁତ ଥିଲା। ୬ ଜଣ ଡାକ୍ତର ସନ୍ଦୀପଙ୍କ ଅପରେସନ୍ ଆରମ୍ଭ କରି ଅଲଗା ହୋଇଥିବା ଆଙ୍ଗୁଠିକୁ ଯୋଡି ଦେଇଥିଲେ। ସନ୍ଦୀପଙ୍କ ଆଙ୍ଗୁଠି କଟିବାର ୨୨ ଘଣ୍ଟା ବିତିଯାଇଥିବାରୁ ଅସ୍ତ୍ରୋପଚାର ଆଦୌ ସହଜ ନଥିଲା। ଭାରତରେ ତାଙ୍କର ଅସ୍ତ୍ରୋପଚାର ମାତ୍ର ୩ ଲକ୍ଷ ୬୫ ହଜାର ଟଙ୍କାରେ ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ଦୁବାଇରେ ୨୪ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.