କରୋନା କଟକଣା : ୫ଜିଲ୍ଲା ଓ ୮ସହରରେ ଲକ୍‌ ଡାଉନ୍‌, ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | March 23, 2020 IST

ଭୁବନେଶ୍ୱର ୨୩।୦୩: କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ । ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରାଯାଇଥିବା ବେଳେ ସୋମବାର ଠାରୁ ରାଜ୍ୟର ୫ ଜିଲ୍ଲା ଓ ୮ ସହରରେ ଲକ୍  ଡାଉନ୍  ଚାଲିଛି । ସଂକ୍ରମଣକୁ ରୋକିବା ପାଇଁ ସପ୍ତାହେ ବ୍ୟାପୀ ୫ ଜିଲ୍ଲା ଏବଂ ୮ ସହରକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ ।

ବିଦେଶରୁ ୩ ହଜାର୨ଶହ ଓଡ଼ିଆ ଫେରିଛନ୍ତି । ଯେଭଳି ତାଙ୍କ ସଂସ୍ପର୍ଶରେ କେହି ନଆସିବେ ଏବଂ କରୋନା ନ ବ୍ୟାପିବ ସେଥିପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହି ସମୟରେ ଆତ୍ୟାବଶ୍ୟକୀୟ ଜିନିଷ ଦୋକାନ ଏବଂ ଜରୁରୀକାଳୀନ ସେବା ଖୋଲା ରହିବ । ଖୋର୍ଦ୍ଧା, ଗଞ୍ଜାମ, କଟକ,କେନ୍ଦ୍ରପଡା ଓ  ଅନୁଗୋଳ ଜିଲ୍ଲାର ସମସ୍ତ ଗାଁ ଓ ସହର ପୂରା ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ବର ସମେତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ଟାଉନ ଓ ଯାଜପୁର ରୋଡ ଏସବୁ ସହରକୁ ମଧ୍ୟ ୭ଦିନ ଲକଡାଉନ ଘୋଷଣା କରାଯାଇଛି । ଏହି ଲକ ଡାଉନ ସମୟରେ ଆତ୍ୟାବଶ୍ୟକୀୟ ସେବା ଯଥା ବସ୍, ଟ୍ରେନ, ବିମାନ ଚଳାଚଳ ଜାରି ରହିବ । ଏହା ସହିତ ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ , ଅଣ୍ଡା, ଚିକେନ  ଦୋକାନ, ପେଟ୍ରୋଲ ପମ୍ପ, ଓ ମେଡିସିନ ଦୋକାନ ଆଦି ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲକ ଡାଉନ ଉପରେ ଜନ ସାଧାରଣଙ୍କ ସହଯୋଗ କାମନା କରିବା ସହ ସମସ୍ତେ ଘରେ ରହିବାକୁ ପରାର୍ମଶ ଦେଇଛନ୍ତି।  ଲୋକଙ୍କ ସ୍ବାର୍ଥ ପାଇଁ ଏସବୁ ନିଷ୍ପତ୍ତି ନିଆଯାଇଥିବାରୁ ଯେଉଁମାନେ ଏହି କଟକଣାକୁ ଭାଙ୍ଗିବାକୁ ଚେଷ୍ଟା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ ସବୁ ସହର ଓ ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । ସେଠାରେ ସମସ୍ତ ଡାକ୍ତରଖାନା, ବ୍ୟାଙ୍କ, ଏଟିମ, ମୁନ୍ୟୁସିପାଲିଟି ସେବା, ଥାନା, ଅଗ୍ନିଶମ ସେବା, ଓଡ୍ରାଫ, ବିଦ୍ୟୁତ ସେବା ଆଦି ଚାଲୁ ରହିବ। ସେହିପରି ରାଜ୍ୟ ସରକାର ଆନ୍ତଃରାଜ୍ୟ ବସ ଚଳାଚଳକୁ ବନ୍ଦ କରିଛନ୍ତି। ଲକ୍ ଡାଉନ୍ କୁ ଦୃଷ୍ଟିରେ ରଖି ଆଜି ଠାରୁ କୌଣସି ବସ ବାହାର ରାଜ୍ୟକୁ ଗଡ଼ିପାରିବ ନାହିଁ କିମ୍ୱା ବାହାର ରାଜ୍ୟର ବସ ରାଜ୍ୟ ମଧ୍ୟକୁ ପ୍ରବେଶ କରିପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.