ମହିଳା ଶିକ୍ଷୟତ୍ରୀଙ୍କୁ ତାଙ୍କ ଘରେ ହାତଗୋଡ ବାନ୍ଧି ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ
22/05/2019 at 3:10 PM

ସିଦ୍ଧାର୍ଥନାଗର ୨୨।୫ : ଉତ୍ତର ପ୍ରଦେଶ ସିଦ୍ଧାର୍ଥ ନଗର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ଜିଲ୍ଲାର ମୋହନା କସବାରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ଅଞ୍ଜଳି ଯାଦବଙ୍କୁ କିଛି ଯୁବକ ତାଙ୍କ ଘରେ ହାତଗୋଡ ବାନ୍ଧି ଜିଅନ୍ତା ପୋଡି ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣାରେ ପୋଲିସ କିଛି ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ଅଞ୍ଜଳି ପୂର୍ବରୁ ନୌଗଡ ବ୍ଲକର କଞ୍ଚନପୁର ପ୍ରାଇମେରୀ ସ୍କୁଲରେ ଅବସ୍ଥାପିତ ଥିଲେ। ତେବେ ନିକଟରେ ତାଙ୍କୁ ଗୌହନିଆ ଜୁନିୟର ହାଇସ୍କୁଲକୁ ବଦଳି କରିଦିଆଯାଇଥିଲା। ଗତ ୪ ମାସ ହେଲା ସେ ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ଜଣେ ସାଥୀ ଶିକ୍ଷୟିତ୍ରୀ ଖୁସବୁଙ୍କ ସହ ରହୁଥିଲେ। ସୋମବାର ସ୍କୁଲ ଛୁଟି ଥିବାରୁ ସାଥୀ ଶିକ୍ଷୟତ୍ରୀ ଖୁସବୁ ତାଙ୍କ ଘରକୁ ଚାଲି ଯାଇଥିଲେ। ତେବେ ମଙ୍ଗଳବାର ସନ୍ଧ୍ୟାରେ ଘରେ ଅଞ୍ଜଳି ଏକାକୀ ଥିବା ବେଳେ କିଛି ଯୁବକ ତାଙ୍କ ଘରେ ପଶି ତାଙ୍କର ହାତଗୋଡ ବାନ୍ଧି ନିଆଁ ଲଗାଇ ଦେବା ପରେ ଘରକୁ ବାହାର ପଟୁ ବନ୍ଦ କରି ଚାଲିଯାଇଥିଲେ। ଘରୁ ଧୂଆଁ ବାହାରୁଥିବା ଦେଖୀ ପଡୋସୀ ଘର ଖୋଲି ଦେଖିବା ବେଳକୁ ଅଞ୍ଜଳି ସମ୍ପୂର୍ଣ୍ଣ ପୋଡିଯାଇଥିଲେ। ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ପହଞ୍ଚିବା ସହ ତୁରନ୍ତ ମାମଲାର ତଦନ୍ତ ଆରମ୍ଭ କରିଥିଲା।

ଅଞ୍ଜଳିଙ୍କ ମୋବାଇଲ ଫୋନର କଲ ଡିଟେଲ ନେଇ ପୋଲିସ ଯାଞ୍ଚ କରିବା ବେଳେ କିଛି ଯୁବକଙ୍କୁ ସନ୍ଦେହରେ ଡାକି ନେଇ ଥାନାରେ ପଚରା ଉଚରା କରୁଛି। ଶିକ୍ଷୟିତ୍ରୀଙ୍କ ହତ୍ୟା କାଣ୍ଡର କାରଣ ଜଣାପଡି ନାହିଁ । ତେବେ ଖୁବଶୀଘ୍ର ହତ୍ୟା ଘଟଣଆ ଉପୁରୁ ପରଦା ହଟିବ ବୋଲି ପୋଲିସ କହିଛି ।