କୋଲକାଠି ୫/୩: ଦେଶରେ ଏପରି କେତେକ ବିଚିତ୍ର ପ୍ରଥା ଏବଂ ପରମ୍ପରା ରହିଛି ଯାହା ବିଷୟରେ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଭାରତୀୟ ମହିଳା ସ୍ବାମୀଙ୍କ ଦୀର୍ଘ ଆୟୁ ପାଇଁ କରଓ୍ବାଚୈାଥ ବ୍ରତ, ସାବିତ୍ରୀ ବ୍ରତ ଆଦି ପାଳନ କରିଥାଆନ୍ତି। ଉତ୍ତର ପ୍ରଦେଶର ଦେବରିଆ, ଗୋରଖପୁର, କୁଶୀନଗର ଏବଂ ବିହାରର କେତେକ ଅଞ୍ଚଳରେ ଅଦ୍ଭୁତ ପରମ୍ପରା ରହିଛି। ଏଠାରେ ଗଛଓ୍ବାବ ସମ୍ପ୍ରଦାୟର ସ୍ତ୍ରୀମାନେ ବିଧବା ଜୀବନ ଅତିବାହିତ କରି ସ୍ବାମୀଙ୍କ ଦୀର୍ଘାୟୁ କାମନା କରିଥାଆନ୍ତି। ସ୍ବାମୀ ବଞ୍ଚିଥିବା ସତ୍ତ୍ବେ ଏଠାରେ ମହିଳା ୩ମାସ ପର୍ଯ୍ୟନ୍ତ ବିଧବା ପରି ରହିଥାଆନ୍ତି। ଏହା ଫଲରେ ସ୍ବାମୀ ଦୀର୍ଘାୟୁ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି ।
ଏହି ସମ୍ପ୍ରଦାୟର ଲୋକେ ତାଳଗଛରୁ ତାଡ଼ି ସଂଗ୍ରହ କରି ଜୀବିକା ନିର୍ବାହ କରିଥାଆନ୍ତି। ୫୦ଫୁଟରୁ ଅଧିକ ଉଚ୍ଚ ଗଛରୁ ଚଢ଼ି ତାଡ଼ି ବାହାର କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥାଏ। ତାଡ଼ି ବାହାର କରିବାର କାମ ଚୈତ୍ର ମାସରୁ ଆରମ୍ଭ ହୋଇ ଶ୍ରାବଣ ପର୍ଯ୍ୟନ୍ତ ଚାରି ମାସ କରାଯାଇଥାଏ। ଗଚ୍ଛଓ୍ବାହ ମହିଳା ଏହି ଚାରି ମାସରେ ମଥାରେ ସିନ୍ଦୂର ଲଗାନ୍ତି ନାହିଁ କି ସଜ ହୁଅନ୍ତି ନାହିଁ। ସେ ତାଙ୍କ ସୁହାଗର ସମସ୍ତ ଜିନିଷ ଦେବୀଙ୍କ ପାଖରେ ରଖି ନିଜ ସ୍ବାମୀଙ୍କ ସୁରକ୍ଷା ପାଇଁ କାମନା କରିଥାଆନ୍ତି। ଗଛଓ୍ବାବ ସମ୍ପ୍ରଦାୟର ଲୋକେ ତରକୁଲହାଙ୍କୁ ଇଷ୍ଟଦେବୀ ଭାବେ ପୂଜା କରିଥାଆନ୍ତି। ଏହି ଦେବୀଙ୍କ ମନ୍ଦିର ଗଛଓ୍ବାବର ଏକ ମୁଖ୍ୟ ଧାର୍ମିକ ସ୍ଥଳ ଅଟେ।
ତାଡ଼ି କାମ ସରିବା ପରେ ଗଛଓ୍ବାବ ସମ୍ପ୍ରଦାୟର ସମସ୍ତ ମହିଳା ନାଗପଞ୍ଚମୀ ଦିନ ତରକୁଲହା ଦେବୀଙ୍କ ମନ୍ଦିରରେ ଏକତ୍ରିତ ହୋଇଥାଆନ୍ତି ଏବଂ ପୂଜା କରିବା ପରେ ନିଜ ମଥାରେ ସିନ୍ଦୂର ଭରିଥାଆନ୍ତି। ଗଛଓ୍ବାବ ସମ୍ପ୍ରଦାୟରେ ଏହି ପରମ୍ପରା ଅନେକ ଦିନରୁ ଚାଲି ଆସିଛି। କିନ୍ତୁ ହିନ୍ଦୁ ଧର୍ମରେ କୈାଣସି ମହିଳା ନିଜ ସୁହାଗ ଚିହ୍ନକୁ ଛାଡ଼ିବା ଅଶୁଭ ହୋଇଥାଏ ବୋଲି ବିଶ୍ବାସ ରହିଥିଲେ ମଧ୍ୟ ଏଠାର ଏହି ପରମ୍ପରା ଏକ ବ୍ୟତିକ୍ରମ ବୋଲି କୁହାଯାଇପାରେ।