ପୁରୀ ୨୨/୦୫ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଛନ୍ତି ପୁରୀ ପୀଠାଧିଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଜି ସକାଳୁ ବୁଲି ଦେଖିଥିଲେ ଶଙ୍କରାଚାର୍ଯ୍ୟ। ଶ୍ରୀମନ୍ଦିର ଚାରିପାଖରେ ଯେଉଁ ବିକାଶ କାର୍ଯ୍ୟ ଚାଲିଛି ତାହାର ଖରାପ ପ୍ରଭାବ ଶ୍ରୀମନ୍ଦିର ଉପରେ ଯେଭଳି ନପଡିବ ସେନେଇ ମତ ରଖିଛନ୍ତି ଜଗଦଗୁରୁ।
ଯେଉଁମାନେ ଏହି କାର୍ଯ୍ୟ ହାତକୁ ନେଇଛନ୍ତି ସେମାନେ ଭଗବାନଙ୍କ ପ୍ରତି ଭକ୍ତି ମନୋଭାବ ରଖି କାର୍ଯ୍ୟ କରନ୍ତୁ। ନିର୍ମାଣ କାର୍ଯ୍ୟ ଯୋଗୁ ବର୍ତ୍ତମାନ ଓ ଭବିଷ୍ୟତରେ ଶ୍ରୀମନ୍ଦିରରେ ଯେଭଳି କୌଣସି ପ୍ରଭାବ ନପଡିବ ସେ ଉପରେ ସମସ୍ତେ ନଜର ଦେବା ଆବଶ୍ୟକତା ରହିଛି। ତପ ଭୂମିକୁ ଭୋଗ ଭୂମିରେ ପରିଣତ କରାନଯାଉ। ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇ ମୋ ସହିତ ଆଲୋଚନା କିମ୍ବା କୈାଣସି ପରାମର୍ଶ ନେଇନାହାନ୍ତି ପ୍ରଶାସନିକ ଅଧିକାରୀ। ତାଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟ ଚାଲୁ ରହିଥିବା କହିଛନ୍ତି ଜଗଦଗୁରୁ। ତେବେ ବିକାଶ କାର୍ଯ୍ୟ ନେଇ ପ୍ରଶାସନ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା। ଦେବଭୂମିରେ ନିର୍ମାଣ କାର୍ଯ୍ୟର ସ୍ୱତନ୍ତ୍ରତା ରହିଛି। ସେନେଇ ସ୍ୱତନ୍ତ୍ର ବହିକୁ ଅଧ୍ୟୟନ କରିବା ଆବଶ୍ୟକତା ରହିଛି।ଅନ୍ୟପଟେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇ ଶ୍ରୀମନ୍ଦିର ପ୍ରତି କୈାଣସି ବିପଦ ନଥିବା ଓ ଶ୍ରୀମନ୍ଦିର ସମ୍ପୁର୍ଣ୍ଣ ସୁରକ୍ଷିତ ରହିଛି ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।