ଧିକ୍ ମାତୃତ୍ୱ: ୬ ବର୍ଷର ଶିଶୁ ପୁତ୍ରକୁ କୁମ୍ଭୀର ମୁହଁକୁ ପିଙ୍ଗି ଦେଲା ମାଆ

Published By : Prameya-News7 Bureau | May 06, 2024 IST

indiatoday

ବେଙ୍ଗାଲୁରୁ: ଗଛରେ ଭଲ ଫଳ ହେଉ କିମ୍ବା ପୋକା ଫଳ, ଗଛ ତାକୁ ଫିଙ୍ଗି ଦିଏନି। ଶେଷ ଯାଏ ଜାବୁଡ଼ି ଧରିଥାଏ। ଗଛ କଥା ଛାଡ଼ନ୍ତୁ କୌଣସି ଜୀବଯନ୍ତୁ ବି ତାଙ୍କ ପିଲାକୁ ଆଘାତ ଲାଗିଲେ ଛାଡ଼ିଦିଅନ୍ତି ନାହିଁ। ରାସ୍ତାରେ କୁକୁର ଛୁଆକୁ ଗାଡ଼ି ଧକ୍କା ଦେଇ ମାରିଦେଲେ ବି ମାଆ କୁକୁରଟି ସେମିତି ବସି ରହିଥାଏ ଛୁଆ କୁକୁର ଶବ ପାଖରେ। ମାଆ ପଣିଆର ଏମିତି ଅନେକ ଦୃଶ୍ୟ ଆପଣ ଦେଖିଥିବେ। ହେଲେ ମଣିଷ ଆଜି ଯେଉଁ ସ୍ତରକୁ ଖସିଗଲାଣି ତା’ ପାଖରେ ମାଆ ଓ ମମତାର କିଛି ମୂଲ୍ୟ ନାହିଁ। 

କର୍ଣ୍ଣାଟକର ଏଭଳି ଘଟଣା ଘଟିଛି ଯାହା ଜାଣିଲା ପରେ ଆପଣ ହୁଏତ ସେହି ମାଆକୁ ଘୃଣା କରିବେ ଯିଏ ତା ଛୁଆକୁ କୁମ୍ଭୀର ମୁହଁକୁ ଫିଙ୍ଗି ଦେଇଛି। କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେଣି। ଘଟଣାଟି ସମ୍ପୂର୍ଣ୍ଣ ସତ। ପିଲାଟି ମୁକ ବଧିର ଥିଲା ବୋଲି ମାଆ ତାକୁ କୁମ୍ଭୀର ମୁହଁକୁ ଫିଙ୍ଗି ଦେଇଛି। ଘଟଣାରେ ୬ ବର୍ଷର ଶିଶୁ ବିନୋଦର ମୃତ୍ୟୁ ହୋଇଛି। ପୁତ୍ରହନ୍ତା ମାଆକୁ ପୁଲିସ ଗିରଫ କରିଛି। 

ଉତ୍ତର କର୍ଣ୍ଣାଟକର ହଲମାଡ଼ି ଗାଁରେ ଶନିବାର ଏଭଳି ଘଟଣା ଘଟିଛି। ୩୨ ବର୍ଷୀୟ ସାବିତ୍ରୀଙ୍କର ୬ ବର୍ଷର ଶିଶୁପୁତ୍ର ଥିଲା। ହେଲେ ଜନ୍ମରୁ ଭଗବାନ ତାକୁ ଠିକ୍‌ସେ ଶୁଣିବା ଓ କହିବାର ଶକ୍ତି ଦେଇ ନଥିଲେ। ପୁଅର ଦିବ୍ୟାଙ୍ଗପଣ ପାଇଁ ବାପା, ମାଆକୁ ଦୋଷ ଦେଉଥିଲେ ଓ ମାଆ, ବାପାକୁ। ଯାହାକୁ ଈଶ୍ୱର ସୃଷ୍ଟି କରିଛି, ଯାହାକୁ ସେ ନିଜେ ଜନ୍ମ ଦେଇଛନ୍ତି, ତା’ ପ୍ରତି ଏତେ ଘୃଣାଭାବ !   

ଦିବ୍ୟାଙ୍ଗ ପୁଅ ବିନୋଦ ପାଇଁ ସାବିତ୍ରୀ ଓ ସ୍ୱାମୀ ରବି କୁମାର(୩୬)ଙ୍କ ମଧ୍ୟରେ ସବୁବେଳେ ମାର୍‌ପିଟ୍ ଓ ଯୁକ୍ତି ତର୍କ ହେଉଥିଲା। ଶନିବାର ରାତିରେ ମଧ୍ୟ ସ୍ୱାମୀ-ସ୍ତ୍ରୀ ସେହି କଥାକୁ ନେଇ ଝଗଡ଼ା ଲାଗିଥିଲେ। ଝଗଡ଼ା ଏତେ ଉଗ୍ରରୂପ ନେଇଥିଲା ଯେ ସାବିତ୍ରୀ ପୁଅ ବିନୋଦକୁ ନେଇ ରାତି ପ୍ରାୟ ୯ଟା ବେଳେ ଏକ କେନାଲ୍‌ରେ ଫିଙ୍ଗି ଦେଇଥିଲେ। ଏହି କେନାଲ୍‌ଟି କୁମ୍ଭୀରଙ୍କ ପ୍ରାଦୁର୍ଭାବ ଥିବା କାଳୀ ନଦୀ ସହ ସଂଯୋଗ ହୋଇଥିଲା। କୁମ୍ଭୀର ଛୁଆଟିକୁ ଖାଇଦେଇପାରନ୍ତି ବୋଲି ସାବିତ୍ରୀ ଭଲଭାବରେ ଜାଣିଥିଲେ। 

ଖବର ପାଇ ପୁଲିସ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲା। ହେଲେ ରାତି ହୋଇଥିବା କାରଣରୁ ବିନୋଦର ମୃତଦେହକୁ ପାଇ ନଥିଲା। ହେଲେ ରବିବାର ସକାଳେ ସର୍ଚ୍ଚ ଟିମ୍‌ କୁମ୍ଭୀର ପାଟିରୁ ପିଲାଟିର ଡାହାଣ ହାତ ସାମାନ୍ୟ ବାହାରକୁ ବାହାରିଥିବା ଦେଖି କୁମ୍ଭୀର ପାଟିରୁ ହିଁ ମୃତଦେହ ଉଦ୍ଧାର କରିଥିଲେ।

ସାବିତ୍ରୀ ଜଣେ ଘରୋଇ ସହାୟିକା। ତାଙ୍କ ସ୍ୱାମୀ ରବି କୁମାର ମଧ୍ୟ ରାଜ ମିସ୍ତ୍ରୀଙ୍କ ହେଲପର ଭାବରେ କାମ କରୁଥିଲେ। ମାମଲାରେ ଦୁଇଜଙ୍କୁ ପୁଲିସ ଗିରଫ କରିଛି। ଦୁହେଁ କୋର୍ଟରେ ହାଜର ହୋଇ ୧୪ ଦିନ ପାଇଁ ପୁଲିସ କଷ୍ଟୁଡିରେ ଯାଇଛନ୍ତି। 

ତେବେ ହତ୍ୟାକାରିଣୀ ମାଆ ସାବିତ୍ରୀ ପୁଅର ମୃତ୍ୟୁ ପାଇଁ ସ୍ୱାମୀ ରବି କୁମାରକୁ ଦାୟୀ କରିଛି। ରବି ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସାବିତ୍ରୀ କହିଛନ୍ତି ମୋ ସ୍ୱାମୀ ପୁଅ ବିନୋଦକୁ ମାରିଦେବାକୁ ବାରମ୍ବାର କହୁଥିଲେ। ସେ କଣ କରୁଛି ଖାଲି ଖାଉଛି ବୋଲି କହୁଥିଲେ। ହେଲେ ମୁଁ ତାକୁ ବଞ୍ଚାଇ ରଖିଥିଲି। ତେବେ ସ୍ୱାମୀ ବାରମ୍ବାର ଏମିତି କଷ୍ଟ ଦେବେ ଆଉ ମୋ ପୁଅ କେତେ ସହିଥାନ୍ତା। ଏଥିପାଇଁ ମୁଁ ତାକୁ ମାରିଦେଲି ବୋଲି ସାବିତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.