ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ଝାରସୁଗୁଡା ରାଜନୀତି, ବିଜେପି-ବିଜେଡି ମଧ୍ୟରେ କଡା ଟକ୍କର

Published By : Prameya-News7 Bureau | January 27, 2022 IST

ଝାରସୁଗୁଡା, ୨୭|୦୧ : ପଞ୍ଚାୟତ ନିର୍ବାଚନ ବିଗୁଲ ବାଜି ସାରିଲାଣି । ପ୍ରାଥମିକ ପ୍ରକ୍ରିୟା ବି ଶେଷ ହେଲାଣି  ।ପ୍ରାର୍ଥୀପତ୍ର ପ୍ରତ୍ୟାହାର ସରିବା ପରେ ପ୍ରାର୍ଥୀ ମାନେ ଗାଁ ମୁହାଁ ହେଲେଣି । ଝାରସୁଗୁଡା ଜିଲ୍ଲାରେ ତିନି ପ୍ରମୁଖ ରାଜନୈତିକ ଦଳ ମୁହାଁମୁହିଁ ଅବସ୍ଥାରେ । କିଏ ମାରିବ ଜିତାପଟ ତାକୁ ନେଇ ଚାଲିଛି ଅଙ୍କକଷା  ।

ଝାରସୁଗୁଡା ଜିଲ୍ଲା ଗଠନ ଠାରୁ ଆଜି ପର୍ଯ୍ୟନ୍ତ ଶାସକ ବିଜୁ ଜନତାଦଳ ଜିଲ୍ଲା ପରିଷଦ ଆସନ ହାତେଇବାରେ ସଫଳତା ହାସଲ କରି ପାରିନି । କିନ୍ତୁ ୨୦୧୯ ମସିହା ନିର୍ବାଚନ ପୁର୍ବରୁ ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ବିଜେଡିରେ ଯୋଗଦେବା ପରେ ଝାରସୁଗୁଡା ରାଜନୀତିର ସବୁ ଅଙ୍କ ଓଲଟପାଲଟ ହୋଇଯାଇଛି । ଏଥର ନିର୍ବାଚନରେ ପ୍ରଥମ ଥର ପାଇଁ ସିଧାସଳଖ ଭାବେ ବିଜେଡି ଜିଲ୍ଲା ପରିଷଦ ହାତେଇବାକୁ ସବୁ ପ୍ରକାର ପ୍ରସ୍ତୁତି ସାରିଥିବା ବେଳେ ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ଜିଲ୍ଲା ସଭାପତି ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ଯୋଗୁଁ ନିର୍ବାଚନର ସବୁ ଭାର କାନ୍ଧେଇବାକୁ ପଡିଛି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ । ଅନ୍ୟପକ୍ଷରେ ବିଜେପି ମଧ୍ୟ ପ୍ରଥମ ଥର ପାଇଁ ଜିଲ୍ଲାପରିଷଦ ହାତେଇବାକୁ ସବୁ କଳବଳ କୌଶଳ ପ୍ରୟୋଗ କରିବାକୁ ଅଣ୍ଟା ଭିଡିଲାଣି । ବିଜେପିର ମଙ୍ଗ ସମ୍ଭାଳିବକୁ  ଆଗରେ ଅଛନ୍ତି ସାଂସଦ ସୁରେଶ ପୁଜାରୀ,, ପୁର୍ବତନ ବିଧୟିକା ରାଧାରାଣୀ ପଣ୍ଡା ଓ ବିଜେପିର ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ । ଏକଦା ଜିଲ୍ଲା ପରିଷଦରେ ସର୍ବଦା ରାଜ କରୁଥିବା କଂଗ୍ରେସ ନେତ୍ରୁତ୍ୱ ବିହୀନ ହୋଇ ପଡିଥିବା ବେଳେ କେବଳ ବିଜେପି ବିଜେଡି ବିରୋଧରେ ରହିଥିବା ଜନ ଅସନ୍ତୋଷର ଫାଇଦା ନେଇ ଜିଲ୍ଲା ପରିଷଦରେ ନିଜର ଦବଦବା  ଜାହିର କରିବ ବୋଲି ଦଳୀୟ ନେତାମାନେ ଦ୍ରୁଢୋକ୍ତି ପ୍ରକାଶ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଚେହେରା ସହ ଜିଲ୍ଲା ରାଜନୀତିରେ ବିଜେଡିର ଦ୍ରୁଢ ସଂଗଠନ ଏଥର ଜିଲ୍ଲା ପରିଷଦର ସମସ୍ତ ଆସନରେ ବିଜେଡି ଜୟଯୁକ୍ତ ହେବ ବୋଲି ଦ୍ରୁଢୋକ୍ତି ପ୍ରକାଶ କରିଛି ।

୧୯୯୭ ମସିହା ପର ଠାରୁ ଲଗାତର ଭାବେ ଜିଲ୍ଲା ପରିଷଦ ଆସନ କଂଗ୍ରେସ ଦଳ ହାତରେ ରହି ଆସୁଛି । ଗତ ୨୦୧୭ ମସିହା ନିର୍ବାଚନରେ ଝାରସୁଗୁଡା ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଆସନରୁ ୫ଟିରେ କଂଗ୍ରେସ ଓ ମାତ୍ର ଗୋଟିଏ ଆସନରେ ବିଜେପି ବିଜୟୀ ହୋଇଥିଲା । ୨୦୧୯ ସାଧାଅରନ ନିର୍ବାଚନ ପୁର୍ବରୁ କଂଗ୍ରେସ ଛାଡି ବିଜେଡିରେ ନବ ଦାସ ଯୋଗ ଦେବା ପରେ ଜିଲ୍ଲା ପରିଷଦର ସମସ୍ତ 8 କଂଗ୍ରେସ ସଦସ୍ୟଙ୍କ ସହ ସମସ୍ତ ୫ଟି ବ୍ଲକରେ ଥିବା ବ୍ଲକ ଅଧ୍ୟକ୍ଷ ବିଜେଡିରେ ଯୋଗଦେଇଥିଲେ । ତେଣୁ ଚଳିତ ନିର୍ବାଚନରେ ସମସ୍ତ ଆସନ ବିଜେଡି ଅକ୍ତିଆର କରିବ ବୋଲି ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ କହୁଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ବିରୋଧରେ ମାଳମାଳ ଅଭିଯୋଗ ସହ ଜିଲ୍ଲାରେ ଯୁବକଙ୍କ ନିଯୁକ୍ତି,ପରିବେଶ ପ୍ରଦୂଷଣ ପ୍ରସଙ୍ଗକୁ ନେଇ ଜିଲ୍ଲାରେ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି,ତାର ପ୍ରଭାବ ନିର୍ବାଚନରେ ପଡିବ ଓ ବିଜେପି ଜିଲ୍ଲା ପରିଷଦ ଅକ୍ତିଆର କରିବ ବୋଲି ଦଲୀୟ ନେତା ମତଦେଇ କହିଛନ୍ତି ।

ସୂଚନାଯୋଗ୍ୟ, ଝାରସୁଗୁଡା ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଆସନ ପାଇଁ ଆସନ୍ତା ଫେବ୍ରୁଆରୀ ୧୬ ରୁ ୧୮ ମଧ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ୩୩ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.