ଫୁକୁସିମା ଆଣବିକ କେନ୍ଦ୍ରର ଏକ ନିୟୁତ ଟନ୍ ବର୍ଜ୍ୟ ଜଳ ସମୁଦ୍ରକୁ ଛାଡିବ ଜାପାନ, ପାଣିକୁ ତେଜସ୍କ୍ରିୟ ମୁକ୍ତ କରାଯାଇଥିବା କହିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | April 13, 2021 IST

ଟୋକିଓ,୧୩/୦୪: ଜାପାନ ସରକାର ଫୁକୁସିମାରେ ରେଡିଓଆକ୍ଟିଭ୍ ପାଣିକୁ ସମୁଦ୍ରରେ ନିଷ୍କାସନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଦାନମନ୍ତ୍ରୀ ୟୋସିହିଦେ ସୁଗା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଫୁକୁସିମାର ୧୦ ଲକ୍ଷ ଟନରୁ ଅଧିକ ରେଡିଓ ଆକ୍ଟିଫ୍ ପାଣିକୁ ସମୁଦ୍ରରେ ଛଡାଯିବା ପାଇଁ ଯୋଜନାକୁ ମଞ୍ଜୁରି ମିଳିଛି । ଏହି ଘୋଷଣା ପରେ ପଡୋଶୀ ଦେଶ ଓ ଧିବରମାନେ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ସୂଚନାନୁସାରେ, ୨୦୧୧ରେ ଭୂମିକମ୍ପ ଓ ସୁନାମି କାରଣରୁ ଫୁକୁସିମା ଦାଇଚି ପରମାଣୁ ହବ୍ ଧ୍ୱଂସ ହୋଇଯାଇଥିଲା । ଏହାପରେ ଜାପାନର ବିଜୁଳି କମ୍ପାନୀ ଟୋକିଓ ଇଲେକ୍ଟ୍ରିକ୍ ପାଓ୍ୱାର କମ୍ପାନୀ ପାଖରେ ୧୦ ଲକ୍ଷ ଟନରୁ ଅଧିକ ରେଡିଓଆକ୍ଟିଭ୍ ପାଣି ଜମା ହୋଇଯାଇଥିଲା । ଯାହାକୁ ଏବେ ସମୁଦ୍ରକୁ ଛାଡିବା ପାଇଁ ସରକାର ମଞ୍ଜୁରି ଦେଇଛନ୍ତି । ତେବେ ଏହି ପ୍ରକ୍ରିୟା ପ୍ରାୟ ୨ ବର୍ଷ ଲାଗିଯିବ । ତେବେ ସ୍ଥାନୀୟ ଧିବରଙ୍କ ସମେତ ଫିଲିପାଇନ୍ସ, ଚୀନ ଦକ୍ଷିଣ କୋରିଆ ଆଦି ଦେଶ ଜାପାନର ଏହି ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି ।

ବିରୋଧ ବଢିବାରୁ ଜାପାନ ସରକାର ଯୁକ୍ତି ବାଢିଛନ୍ତି ଯେ, ପାଣିରୁ ସମସ୍ତ ତେଜସ୍କ୍ରିୟ ପଦାର୍ଥକୁ ହଟାଇ ଦିଆଯାଇଛି । ପାଣିକୁ ସଂଶୋଧନ ମଧ୍ୟ କରାଯାଇଛି । ଏହାପରେ ତାକୁ ସମୁଦ୍ରରେ ଛଡାଯିବ । ଅନ୍ତରାଷ୍ଟ୍ରୀୟ ପରମାଣୁ ଏଜେନ୍ସି ମଧ୍ୟ ଏହାର ସମର୍ଥନ କରିଛି ।

ସୂଚନାଯୋଗ୍ୟ, ଫୁକୁସିମାରେ ଜମିଥିବା ୧୦ ଲକ୍ଷ ଟନରୁ ଅଧିକ ରେଡିଓଆକ୍ଟିଭ୍ ଗତ ୧୦ ବର୍ଷ ଧରି ଚର୍ଚ୍ଚାରେ ରହିଛି । ଦକ୍ଷିଣ କୋରିଆ ଫୁତୁସିମା ଯାଉଥିବା ସିଫୁଡ୍ ଉପରେ ମଧ୍ୟ କଟକଣା ଲଗାଇଛି । ଗତବର୍ଷ ଦକ୍ଷିଣ କୋରିଆ ଏ ବାବଦରେ ଜାପାନ ସରକାରଙ୍କୁ ସ୍ପଷ୍ଟିକରଣ ମାଗିଥିଲା ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ,  ଜାପାନ ସରକାରଙ୍କ ପରାମର୍ଶଦାତା ପାଣିକୁ ସମୁଦ୍ରରେ ଛାଡିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯାହାକୁ ସରକାର ସ୍ୱୀକାର କରିଥିଲେ । ମଙ୍ଗଳବାର ଜାପାନ ସରକାର ଏନେଉ ଔପଚାରିକ ଭାବେ ଘୋଷଣା କରିଛନ୍ତି । ଏବେ ସମସ୍ତ ପାଣିକୁ ଟାଙ୍କିରେ ରଖାଯାଇଛି । କିନ୍ତୁ ପ୍ରତିଦିନ ଏଥିରେ ୧୭୦ ଟନ୍ ପାଣି ଜମା ହେଉଛି । ଏପରି ହେଲେ ୨୦୨୨ ସୁଦ୍ଧା ପାଣି ରଖିବାକୁ ସ୍ଥାନର ଅଭାବ ଦେଖାଦେବ । ତେବେ ସମସ୍ତ ପାଣିକୁ ସମୁଦ୍ରକୁ ନିଷ୍କାସନ ପାଇଁ ୨ ବର୍ଷ ସମୟ ଲାଗିଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.