ଭାରତରେ ‘ଜନ୍‌ସେନ୍‌’ କୋଭିଡ୍‌ ଭ୍ୟାକସିନ୍‌ର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଆବେଦନ କଲା ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଫାର୍ମା କମ୍ପାନୀ

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୦୪ : ବିଶ୍ବର ଅନ୍ୟତମ ସଫଳ ତଥା ବୃହତ ଔଷଧ ନିର୍ମାଣକାରୀ କମ୍ପାନୀ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ କୋଭିଡ୍‌-୧୯ ଭ୍ୟାକସିନ୍‌ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନ କରିଛି । ଏହା ସହିତ ଭାରତ​‌ରେ ଭ୍ୟାକସିନ୍‌ ନିର୍ମାଣ ତଥା ଟିକାକରଣ ନିମନ୍ତେ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିଛି । ଏ ନେଇ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ କେୟାର ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି । ଭ୍ୟାକସିନ୍‌ର କ୍ଳିନିକାଲ ଟ୍ରାଏଲ ପାଇଁ ଅନୂମତି ଦେବାକୁ ଜେ ଆଣ୍ଡ୍‌ ଜେ ପକ୍ଷରୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ତିଆ (DCGI)ଙ୍କୁ ଅନୁରୋଧ କରାଯାଇଛି  ।

ଆମେରିକା, ୟୁରୋପ, ବ୍ରିଟେନ୍‌ ଏବଂ ଜାପାନରେ ନିର୍ମାଣ ହେଉଥିବା ଟିକା ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଦ୍ବାରା ଅନୁମତି ପ୍ରାପ୍ତ ଭ୍ୟାକସିନ୍‌ଗୁଡିକୁ ଭାରତରେ ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ଦେବାକୁ ସବୁଜ ସଙ୍କେତ ଦେଇଛନ୍ତି ଭାରତ ସରକାର ।

ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ କୋଭିଡ୍‌-୧୯ ଭ୍ୟାକସିନ୍‌ର ନାଁ ରଖାଯାଇଛି ‘ଜନ୍‌ସେନ୍‌’ । କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ କୋଭିଡ୍‌-୧୯ ଭ୍ୟାକସିନ୍‌ ୨ ରୁ ୮ ଡିଗ୍ରୀ ତାପମାତ୍ରାରେ ଅତି କମରେ ୩ ମାସ ଯାଏଁ ରହିପାରିବ । ଏହା ସହିତ ଜେ ଆଣ୍ଡ ଜେ କୋଭିଡ୍‌-୧୯ ଭ୍ୟାକସିନ୍ର ବିଶେଷତ୍ବ ହେଉଛି ଏହାକୁ ମାତ୍ର ଥରେ ଅର୍ଥାତ ଗୋଟିଏ ଡୋଜ୍‌ ଦିଆଯିବ । ଯେତେବେଳେକି ଅନ୍ୟ ଭ୍ୟାକସିନ୍‌ଗୁଡିକୁ ୨ଥର ଲେଖାଏଁ ଅର୍ଥାତ୍‌ ୨ଟି ଡୋଜ୍‌ ଲେଖାଏଁ ଦିଆଯାଏ । ଭାରତ ସରକାରଙ୍କ ପକ୍ଷରୁ ଦେଶରେ ଏଭଳି ୩ଟି ଭ୍ୟାକସିନ୍‌କୁ ଅନୁମତି ଦିଆଯାଇଛି ତାହାରକି ୨ଟି ଲେଖାଏଁ ଡୋଜ୍‌ ଦେବାକୁ ପଡିବ ।

ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ପକ୍ଷରୁ ଉତ୍ପାଦିତ ହେଉଥିବା କୋଭିସିଲ୍ଡ, ଏବଂ ଭାରତ ବାୟୋଟେକ୍‌ ପକ୍ଷରୁ ନିର୍ମାଣ ହେଉଥିବା କୋଭାକ୍ସିନ୍‌ ଭାରତରେ ବ୍ୟବହାର ହେଉଥିବା ବେଳେ ଗତ କିଛି ଦିନ ତଳେ ଋଷିଆ ନିର୍ମିତ ଭ୍ୟାକସିନ୍‌ ସ୍ଫୁଟନିକ୍‌-V କୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଛି । ଭାରତରେ ଟିକାକରଣ ପ୍ରକ୍ରିୟା ଦ୍ରୁତ ଗତିରେ ଜାରି ରହିଥିବା ବେଳେ ମେ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟିକାକରଣ ପାଇଁ ଘୋଷଣା କରିଛନ୍ତି ଭାରତ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.