ଇସ୍ରାଏଲରେ ଜରୁରୀ ପରିସ୍ଥିତି ଜାରି କରିବାକୁ ଚେତାବନୀ, ଦକ୍ଷିଣ ଆଫ୍ରିକା ଭ୍ୟାରିଆଣ୍ଟ ଚିହ୍ନଟ ହେବାପରେ କଡା କଟକଣା

Published By : Prameya-News7 Bureau | November 26, 2021 IST

ନୂଆଦିଲ୍ଲୀ ୨୬/୧୧ : ପୁଣି ଭୟଙ୍କର ହେଲାଣି କରୋନା । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ନୂଆ ଭ୍ୟାରିଆଣ୍ଟକୁ ନେଇ ଏବେ ବିଶ୍ବରେ ଭାଳେଣୀ ପଡିଛି । କାରଣ ଏହି ନୂଆ ଭ୍ୟାରିଆଣ୍ଟ ଖୁବ ବିପଦପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ କହିସାରିଲେଣି । ଦିନକୁ ଦିନ ଏହା ଅନ୍ୟ ଦେଶମାନଙ୍କୁ ମଧ୍ୟ ବ୍ୟାପିବାରେ ଲାଗିଛି । ତେ​‌ବେ ଏହାରି ମଧ୍ୟରେ ଇସ୍ରାଏଲ ସରକାର କୋଭିଡ୍‌ କଟକଣା କଡାକଡି କରିବାକୁ ନିର୍ଦେଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନଫତାଲି ବେନ୍ନେଟ୍‌ ଇସ୍ରାଏଲର ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ଭେଟି ଆଲୋଚନା କରିବା ସହିତ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ଭ୍ୟାରିଆଣ୍ଟ ବିଷୟରେ କଥା ହୋଇଛନ୍ତି । ବିଶେଷଜ୍ଞଙ୍କ କହିବା କଥା ଯେ, ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୂଆ ଲକ୍ଷଣ ଡେଲ୍‌ଟା ଭ୍ୟାରିଆଣ୍ଟ ଠାରୁ ମଧ୍ୟ ଆହୁରି ବିପଦପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ବେନ୍ନେଟ୍‌ କହିଛନ୍ତି, ‘ଦେଶରେ ବର୍ତ୍ତମାନ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି । ଜନସାଧାରଣ ସଚେତନ ନହେଲେ ବାଧ୍ୟ ହୋଇ ଜରୁରୀ ପରିସ୍ଥିତି ଲାଗୁ କରାଯିବ । ତେଣୁ ନିୟମକୁ କଡାକଡି କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।’

ଇସ୍ରାଏଲରେ ଦକ୍ଷିଣ ଆଫ୍ରିକା ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ଭୟର ବାତାବରଣ ସୃ​‌ଷ୍ଟି ହୋଇଛି । ଦକ୍ଷିଣ ଆଫ୍ରିକାର ମାଲାଓ୍ବୀରୁ ଫେରିଥିବା ଜଣେ ବ୍ୟକ୍ତି ନୂଆ ଭ୍ୟାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଯାତ୍ରୀଙ୍କୁ ଇସ୍ରାଏଲ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.