ଆଇପିଏଲ ୨୦୨୧ : ଆଜି ନାଇଟ ରାଇଡର୍ସ ଓ ରୟାଲ୍ସ ଲଢେଇ, ବିଜୟ ଲକ୍ଷ୍ୟରେ ଉଭୟ ଦଳ

Published By : Prameya-News7 Bureau | April 24, 2021 IST

ମୁମ୍ବାଇ,୨୪/୦୪ ଆଇପିଏଲ୍‌ର ୧୮ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ରୟାଲ୍ସ ତା’ର ଶେଷ ୨ଟି ମ୍ୟାଚ୍‌ ଏବଂ ନାଇଟ୍‌ ରାଇଡର୍ସ କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ଉଭୟ ଦଳ ଏହି ମ୍ୟାଚ୍‌ ଜରିଆରେ ବିଜୟଧାରାକୁ ଫେରିବା ପାଇଁ ପ୍ରସ୍ତୁତି କରିଛନ୍ତି ।

ନାଇଟ୍‌ ରାଇଡର୍ସ ଶେଷ ୩ଟି ମ୍ୟାଚ୍‌ରେ ସୁପର କିଙ୍ଗ୍‌ସ (୧୮ରନ୍‌ରେ), ରୟାଲ୍‌ ଚ୍ୟାଲେଞ୍ଜର୍ସ (୩୮ରନ୍‌ରେ) ଏବଂ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ (୧୦ରନ୍‌ରେ) ନିକଟରୁ ହାରିଯାଇଥିଲା । ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗର ବିଫଳତା ଦଳ ପରାଜୟର ମୁଖ୍ୟ କାରଣ ସାଜିଥିଲା । ଶେଷ ମ୍ୟାଚ୍‌ରେ ଦଳ ସିଏସ୍‌କେ ବିପକ୍ଷରେ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ ସତ୍ତେ୍ୱ ୧୮ରନ୍‌ରେ ପରାସ୍ତ ହୋଇଥିଲା । ଅନ୍ୟ ପଟରେ ରୟାଲ୍ସ ଦଳ ୪ଟି ମ୍ୟାଚ୍‌ ଖେଳି ୧ ବିଜୟ ଓ ୩ ପରାଜୟ ସହ ମୋଟ ୨ପଏଣ୍ଟ ପାଇ ତାଲିକାର ନିମ୍ନ ସ୍ଥାନରେ ରହିଛି । ଦଳ ଶେଷ ୨ଟି ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ (୧୦ ୱିକେଟ୍‌ରେ) ଏବଂ ସୁପରକିଙ୍ଗ୍‌ସ (୪୫ରନ୍‌ରେ)ଠୁ ହାରିଯାଇଥିଲା ।

ନାଇଟ୍‌ ରାଇଡର୍ସ ପାଇଁ ଶନିବାରର ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ରୟାଲ୍ସକୁ ହରାଇବାକୁ ହେଲେ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତ ପ୍ରଦର୍ଶନ ଜରୁରୀ । ଦଳରେ ଷ୍ଟାର୍‌ ଖେଳାଳିଙ୍କ ଅଭାବ ନାହିଁ । କିନ୍ତୁ ସବୁ ବିଭାଗରେ ଦଳ ନିରାଶ କରିଛି । ପୂର୍ବ ମ୍ୟାଚ୍‌ରେ ଦୁର୍ଦ୍ଧର୍ଷ ଆନ୍ଦ୍ରେ ରସେଲ ଓ ପ୍ୟାଟ୍‌ କମିନ୍ସ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିବାର ସୂଚନା ଦେଇଛନ୍ତି । କିନ୍ତୁ ଅଧିନାୟକ ଇୟନ ମୋର୍ଗାନ, ରାହୁଲ ତ୍ରିପାଠୀ ଓ ଶୁଭମନ ଗିଲଙ୍କ ଫର୍ମ ଚିନ୍ତାଜନକ ରହିଛି । ବୋଲିଂ ବିଭାଗର ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି ।

ସଞ୍ଜୁ ସାମସନ୍‌ଙ୍କ ନେତୃତ୍ୱାଧିନ ରୟାଲ୍ସ ଚଳିତ ସିଜନରେ ଅପେକ୍ଷାକୃତ ଦୁର୍ବଳ ଦଳ ଭାବେ ଉଭା ହୋଇଛି । ଦାମୀ ଖେଳାଳି କ୍ରିସ୍‌ ମୋରିସ୍‌, ପେସ୍‌ ବୋଲର ମୁସ୍ତାଫିଜୁର ରେହମାନ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବାବେଳେ ବ୍ୟାଟିଂ ବିଭାଗରେ ଜୋସ ବଟଲର, ଡେଭିଡ ମିଲର ଓ ମନନ ଭୋରା ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି । ନାଇଟ୍‌ ରାଇଡର୍ସକୁ ହରାଇବାକୁ ହେଲେ ରୟାଲ୍ସକୁ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଗତ ସଂସ୍କରଣରେ ରୟାଲ୍ସ ବିପକ୍ଷରେ ନାଇଟ୍‌ ରାଇଡର୍ସ ୨ଟି ଯାକ ମ୍ୟାଚ୍‌ ଜିତିଥିଲା । ତେଣୁ ଦଳ ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.