ଆଜି କିଙ୍ଗସ୍ ଏକାଦଶ ପଞ୍ଜାବକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ, 'କର ବା ମର' ସ୍ଥିତିରେ ଉଭୟ ଦଳ

Published By : Prameya-News7 Bureau | October 30, 2020 IST

ଦୁବାଇ,୩୦/୧୦: ଆଜି ଚଳିତ ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ । ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ ‘କର ବା ମର’ ପରସ୍ଥିତି ସଦୃଶ ରହିଛି । ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ମ୍ୟାଚ୍‌ ଜିତିବା ଜରୁରୀ । ତେଣୁ ଆଜିର ମ୍ୟାଚ୍‌ ଜିତିବାକୁ ଉଭୟ ଦଳ ପ୍ରାଣମୁର୍ଚ୍ଛା ଉଦ୍ୟମ କରିବେ ।

ରୟାଲ୍ସ ପାଇଁ ଆଜିର ମ୍ୟାଚ୍‌ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିଛି । ଦଳ ୧୨ମ୍ୟାଚ୍‌ରୁ ୫ ବିଜୟ ସହ ମୋଟ ୧୦ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି । ଦଳର ଆଉ ମାତ୍ର ୨ଟି ମ୍ୟାଚ୍‌ ବାକି ଅଛି । କିଙ୍ଗ୍‌ସ ଏକାଦଶଠୁ ପରାଜିତ ହେଲେ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିବା ନିଶ୍ଚିତ । ଅନ୍ୟ ପଟରେ କିଙ୍ଗ୍‌ସ ଏକାଦଶ ୧୨ମ୍ୟାଚ୍‌ରୁ ୬ ବିଜୟ ସହ ମୋଟ ୧୨ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ରୟାଲ୍ସଠୁ ହାରିଲେ ଦଳର ପ୍ଲେ-ଅଫ୍‌ ରାସ୍ତା କଷ୍ଟକର ହୋଇଯିବ । ତେଣୁ ମ୍ୟାଚ୍‌ ବିଜୟୀ ହୋଇ କିଙ୍ଗ୍‌ସ ଏକାଦଶ ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ପ୍ରୟାସ କରିବ ।

କିଙ୍ଗ୍‌ସ ଏକାଦଶ ଏକଦା ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ କ୍ରମାନ୍ୱୟରେ ୫ଟି ମ୍ୟାଚ୍‌ ଜିତି ଦଳ ଆଶା ଉଜ୍ଜ୍ୱଳ କରିଛି । ଉନ୍ନତ ରନ୍‌ ରେଟ୍‌ରେ ଶେଷ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇ ପ୍ଲେ-ଅଫ୍‌କୁ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛି । ଦୁର୍ଦ୍ଧର୍ଷ କ୍ରିସ୍‌ ଗେଲ୍‌ଙ୍କ ପ୍ରତ୍ୟାବର୍ତ୍ତନ ପରେ କିଙ୍ଗ୍‌ସ ଏକାଦଶ ମନୋବଳ ଦ୍ୱିଗୁଣିତ ରହିଛି । ସେ ୫ଟି ମ୍ୟାଚ୍‌ ଖେଳି ୨ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି । ସିଜନରେ ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ଅଧିନାୟକ ଲୋକେଶ ରାହୁଲ ପୂର୍ବ କିଛି ମ୍ୟାଚ୍‌ରେ ନିରାଶ କରିଥିଲେ । ଆସନ୍ତାକାଲି ସେ ବଡ଼ ଇନିଂସ୍‌ ଖେଳିବାକୁ ପ୍ରୟାସ କରିବେ । ଆଣ୍ଠୁ ଆହତ ସମସ୍ୟାରେ ଥିବା ଓପନର ମୟଙ୍କ୍‌ ଅଗ୍ରୱାଲ୍‌ ସୁସ୍ଥ ହୋଇଛନ୍ତି । ଯଦି ସେ ପ୍ରତ୍ୟାବର୍ତ୍ତନ କରନ୍ତି, ତା’ହେଲେ ତାଙ୍କ ସ୍ଥାନରେ ଓପନିଂ ସୁଯୋଗ ପାଇଥିବା ମନଦୀପ ସିଂହ ମଧ୍ୟଭାଗରେ ବ୍ୟାଟିଂ କରିବେ । ମନଦୀପ ନାଇଟ୍‌ ରାଇଡର୍ସ ବିପକ୍ଷରେ ଅପରାଜିତ ୬୬ରନ୍‌ କରି ଦଳ ବିଜୟରେ ଅନ୍ୟତମ ଭୂମିକା ନିର୍ବାହ କରିଥିଲେ । ମହମ୍ମଦ ସାମିଙ୍କ ଅଧିନରେ ବୋଲିଂ ବିଭାଗ ଶେଷ ୫ଟି ମ୍ୟାଚ୍‌ରେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ଆସନ୍ତାକାଲି ସାମି ଓ ରୟାଲ୍ସ ଓପନର ବେନ୍‌ ଷ୍ଟୋକ୍ସଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ରୟାଲ୍ସ ଦଳ ପୂର୍ବ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦୃଢ଼ ମନୋବଳରେ ରହିଛି । ଷ୍ଟୋକ୍ସ ଏହି ମ୍ୟାଚ୍‌ରେ ଶତକ ହାସଲ କରିଥିଲେ । ଅନ୍ୟ ପଟରେ ସଞ୍ଜୁ ସାମସନ୍‌ ମଧ୍ୟ ଫର୍ମକୁ ଫେରିଛନ୍ତି । ଗତ କିଛି ମ୍ୟାଚ୍‌ରେ ବୋଲିଂ ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । କିଙ୍ଗ୍‌ସ ଏକାଦଶକୁ ହରାଇବାକୁ ହେଲେ ବୋଲରମାନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.