ସ୍ମିଥଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡିଲା ଡିଭିଲିୟର୍ସଙ୍କ ଧୂଆଁଧାର ବ୍ୟାଟିଂ, ରାଜସ୍ଥାନ ହାତରୁ ବିଜୟ ଛଡାଇ ଆଣିଲା ବେଙ୍ଗାଲୁରୁ

Published By : Prameya-News7 Bureau | October 17, 2020 IST

ଦୁବାଇ ୧୭।୧୦: ଏବି ଡିଭିଲିୟର୍ସଙ୍କ ଧୂଆଁଧାର ଅପରାଜିତ ଅର୍ଦ୍ଧଶତକ ତଥା ମ୍ୟାଚ୍ ବିଜୟୀ ଇନିଂସ ବଳରେ ଦୁବାଇରେ ଖେଳାଯାଇଥିବା ଆଇପିଏଲର ୩୩ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଡିଭିଲିୟର୍ସଙ୍କ ୫୫ ରନର ଦମଦାର ବ୍ୟାଟିଂ ରାଜସ୍ଥାନ ରୟାଲ୍ସଠୁ ବିଜୟ ଛଡାଇ ଆଣିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭ୍ ସ୍ମିଥ୍‌ଙ୍କ ୫୭ ରନ ଓ ରବିନ ଉଥପ୍ପାଙ୍କ ୪୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ବିନିମୟରେ ୧୭୭ ରନ କରିଥିଲା। ଜବାବରେ ବେଙ୍ଗାଲୁରୁ ଏହି ଲକ୍ଷ୍ୟକୁ ୧୯.୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ବିଜୟ ସହିତ ବେଙ୍ଗାଲୁରୁ ପଏଣ୍ଟ ତାଲିକାରେ ତୃତୀୟ ସ୍ଥାନରେ ନିଜକୁ ମଜବୁତ କରିଛି।

୧୭୮ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୩ ରନ ସ୍କୋରରେ ଆରୋନ ଫିଞ୍ଚଙ୍କ ଓ୍ଵିକେଟ୍ ହରାଇଥିଲା। ଫିଞ୍ଚ ୧୪ ରନ କରି ବିଦାୟ ନେଇଥିଲେ। ଏହା ପରେ ଦେବଦୁତ୍ତ ପାଡିକଲ ଓ ଅଧିନାୟକ ବିରାଟ କୋହଲି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟସମ୍ୟାନ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୯ ରନ ଯୋଡି ଦଳର ସ୍କୋରକୁ ୧୦୨ରେ ପହଞ୍ଚାଇଥିଲେ। ଏହି ସ୍କୋରରେ ବେଙ୍ଗାଲୁରୁ ଲଗାତାର ଦୁଇଟି ଓ୍ଵିକେଟ୍ ହରାଇଥିଲା। ଦେବଦୁତ୍ତ ପାଡିକଲ ୩୭ ବଲରୁ ୨ ଚୌକା ସହ ୩୫ ରନ କରି ପାଭିଲିୟନ ଫେରିଥିଲେ। ବିରାଟ କୋହଲି ଅଧିନାୟକତ୍ଵ ଇନିଂସ ଖେଳି ୩୨ ବଲରୁ ୧ ଚୌକା ଓ ୨ ଛକା ସହ ୪୩ ରନ କରି ଆଉଟ୍ ହୋଇଥିଲେ।

କିନ୍ତୁ ଅନ୍ୟପଟେ ଦଳର ଓଭର ପ୍ରତି ରନହାର ବଢି ଚାଲିଥିଲା। ହେଲେ ଏବି ଡିଭିଲିୟର୍ସ କ୍ରିଜକୁ ଆସିବା ମାତ୍ରେ ଧୂଆଁଧାର ବ୍ୟାଟିଂ କରିଥିଲେ। ଶେଷ ୪ ଓଭରରୁ ଦଳକୁ ଜିତିବା ପାଇଁ ୫୪ ରନ ଦରକାର ଥିଲା। ସେହି ପରି ଶେଷ ୨ ଓଭରରେ ଜିତିବାକୁ ଦଳକୁ ୩୫ ରନ ଦରକାର ଥିଲା। ହେଲେ ଏବି ଡିଭିଲିୟର୍ସଙ୍କ ଅବିଶ୍ଵସନୀୟ ବ୍ୟାଟିଂ ବଳରେ ବେଙ୍ଗାଲୁରୁ ଏହି ମ୍ୟାଚରେ୧୯.୪ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଡିଭିଲିୟର୍ସ ମାତ୍ର ୨୨ ବଲରୁ ୧ ଚୌକା ଓ ୬ ଛକା ସହ ଆଇପିଏଲରେ ୩୭ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫୫ ରନ କରି ଅପରାଜିତ ଥିଲେ। ଗୁରୁକିରତ ମନଙ୍କ ସହ ଚତୁର୍ଥ ଓ୍ଵିକେଟ୍‌ରେ ୭୭ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି।  ତାଙ୍କର ଏହି ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ବେଙ୍ଗାଲୁରୁ ରାଜସ୍ଥାନ ହାତରୁ ବିଜୟ ଛଡାଇ ଆଣିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.