ମନ୍ଦ ଉଦ୍ଦେଶ୍ୟରେ RTI ସୂଚନା ମାଗୁଥିଲେ ସାବଧାନ! ଜାଣନ୍ତୁ କ'ଣ କହିଛନ୍ତି ଦିଲ୍ଲୀ ହାଇକୋର୍ଟ

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ ୨୧।୧: ସୂଚନା ଅଧିକାର (ଆରଟିଆଇ) ଆଇନ ଆଧାରରେ ତଥ୍ୟ ମାଗୁଥିଲେ ଆବେଦନକାରୀଙ୍କୁ ଆବଶ୍ୟକ କରୁଥିବା ତଥ୍ୟ ଲାଗି ଏବେ ଉଦ୍ଦେଶ୍ୟ ଜଣାଇବାକୁ ପଡିବ। ଦିଲ୍ଲୀ ହାଇକୋର୍ଟ ୧୨ ଜାନୁୟାରୀ ରାୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ଆବେଦନକାରୀଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହେବା ସହ ଯେଉଁ ତଥ୍ୟ ପ୍ରଦାନ କରାଯିବ ସେଥିପ୍ରତି ମଧ୍ୟ ନ୍ୟାୟ ହୋଇପାରିବ ବୋଲି କହିଛନ୍ତି କୋର୍ଟ ।

ହରକିସନ ବନାମ ରାଷ୍ଟ୍ରପତିଙ୍କ ସଚିବାଳୟ ମାମଲାର ଶୁଣାଣି କରି ବିଚାରପତି ପ୍ରତିଭା ଏମ.ସିଂହଙ୍କ କୋର୍ଟ ଆରଟିଆଇରେ ତଥ୍ୟ ମାଗିଥିବା ହରକିସନଙ୍କୁ ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମନା ରାଶି ୨ ସପ୍ତାହ ମଧ୍ୟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ହାଇକୋର୍ଟ ମାମଲାରେ ରାଷ୍ଟ୍ରପତି ଭବନ ନିଯୁକ୍ତି ସମ୍ପର୍କରେ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି)ଙ୍କ ଆଦେଶକୁ କାୟମ ରଖିଛନ୍ତି।  ଏହା ସହ ଆଗକୁ ଯଦି କେହି ଏହି ଆଇନରେ ସୂଚନା ଆବଶ୍ୟକ କରୁଥାନ୍ତି ମାଗୁଥିବା ତଥ୍ୟ ଲାଗି କାରଣ ଦର୍ଶାଇବା ମଧ୍ୟ ଜରୁରି ବୋଲି କୋର୍ଟ କହିଛନ୍ତି।

ରାଷ୍ଟ୍ରପତି ଭବନରେ ମଲ୍ଟି ଟାସ୍କିଂ ଷ୍ଟାଫ (ଏମଟିଏସ୍) ନିଯୁକ୍ତି ନେଇ ହରକିସନ ଆରଟିଆଇ ମାଧ୍ୟମରେ ନିଯୁକ୍ତି ବିଜ୍ଞପ୍ତିର ନକଲ ସମେତ ମୋଟ ୬ ବିଷୟରେ ସୂଚନା ମାଗିଥିଲେ। ଏଥିରେ  ଅନଲାଇନରେ ପଦବୀ ଲାଗି ଆବେଦନ କରିଥିବା ଆବେଦକଙ୍କ ସଂଖ୍ୟା, ଏଥିଲାଗି ପରୀକ୍ଷା ଦେଇଥିବା ଆବେଦକଙ୍କ ସଂଖ୍ୟା, ସାରା ଦେଶରେ ଏଥିଲାଗି ହୋଇଥିବା ପରୀକ୍ଷା କେନ୍ଦ୍ରର ନାମ ଓ ଠିକଣା, ପ୍ରତି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ସମେତ ପରୀକ୍ଷାକେନ୍ଦ୍ର ଅନୁସାରେ ମନୋନୀତ ପ୍ରାର୍ଥୀ ଓ ସେମାନଙ୍କ ନାମ, ଠିକଣା ଏବଂ ପିତାଙ୍କ ନାମ ଜଣାଇବାକୁ ନିବେଦନ କରିଥିଲେ।

ସେହି ଅନୁସାରେ ସିଆଇସି ଆବେଦକଙ୍କୁ ସୂଚନା ପ୍ରଦାନ କରିଥିବା ବେଳେ ନିଯୁକ୍ତ ଏମଟିଏସ୍ ପ୍ରାର୍ଥୀଙ୍କ ନାମ, ଠିକଣା ଓ ପିତାଙ୍କ ନାମ ଦେବାକୁ ମନା କରିଥିଲେ। ଏଥିଲାଗି ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତା କ୍ଷୁର୍ଣ୍ଣ ହେବ ବୋଲି ସିଆଇସି କାରଣ ଦର୍ଶାଇଥିବା ବେଳେ ଆଇନର ୮(୧)ର (ଜେ) ଧାରାରେ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସୂଚିତ କରିଥିଲେ। ତେବେ ହରକିସନ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ।

କୋର୍ଟ ମାମଲାର ଶୁଣାଣି କରିବା ବେଳେ ହରକିସନ ରାଷ୍ଟ୍ରପତି ଭବନର ପୂର୍ବତନ ଆଡହକ୍‌ କର୍ମଚାରୀ ବୋଲି ଜଣାପଡିବା ବେଳେ ତାଙ୍କ ଝିଅ ମଧ୍ୟ ଏମଟିଏସ୍ ଲାଗି ଆବେଦନ କରିଥିବାର ଜଣାପଡିଥିଲା। ଏଥିରୁ ହରକିସନ ଆରଟିଆଇରେ ମାଗିଥିବା ତଥ୍ୟର ଅସଲ ଉଦ୍ଦେଶ୍ୟ କୋର୍ଟ ଜାଣିପାରିଥିବା ବେଳେ ଏଭଳି ଆଇନ ଉପଯୋଗ ଲାଗି ଆବେଦକଙ୍କୁ ତାଙ୍କ ଉଦ୍ଦେଶ୍ୟ ଜଣାଇବା ଅନିବାର୍ଯ୍ୟ ଘୋଷଣା କରିଛନ୍ତି। ଆବେଦନକାରୀଙ୍କ ଉଦ୍ଦେଶ୍ୟ ସ୍ପଷ୍ଟଥିଲେ ସୂଚନା ଅଧିକାରରେ ସୂଚନା ପ୍ରଦାନରେ କୌଣସି ଅସୁବିଧା ନାହିଁ ବୋଲି କୋର୍ଟ କହିଛନ୍ତି। ତେବେ କେହି ମନ୍ଦ ଉଦ୍ଦେଶ୍ୟରେ ଆଇନର ଉପଯୋଗ କରୁଥିଲେ ଏହା ଦ୍ୱାରା ଅନ୍ୟମାନଙ୍କର ହେବାକୁ ଥିବା କ୍ଷତିକୁ ରୋକାଯାଇପାରିବ ବୋଲି କହିଛନ୍ତି କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.