ପାଠଠୁ କାର ବେଶୀ ଜରୁରୀ ? କୋଭିଡ୍‌ ମହାମାରୀ ସମୟରେ ଅଧିକ ଲୋକ ନେଇଛନ୍ତି କାର ଓ ଘର ପାଇଁ ଋଣ, ଶିକ୍ଷା ଋଣ ବହୁତ କମ୍‌: ଆରବିଆଇ ତଥ୍ୟ

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ ୭/୦୭: କରୋନା ମହାମାରୀ ସମୟରେ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ ଲୋକେ କିନ୍ତୁ କାର ଏବଂ ଘର କିଣିବାକୁ ବ୍ୟାକୁଳ। ମହାମାରୀ ସମୟରେ ପାଠଠୁ ଭାରତୀୟଙ୍କ ପାଇଁ କାର ବେଶୀ ଜରୁରୀ ହୋଇପଡ଼ିଛି । ପ୍ରଥମ ଏବଂ ଦ୍ବିତୀୟ ଲହରରେ ଘର ଏବଂ କାର ଋଣ ଅଧିକ କରିଥିବା ବେଳେ ପାଠ ପାଇଁ ଋଣ କମିଛି। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ମହାମାରୀ ସମୟରେ ଲୋକେ କାର ଏବଂ ଘର ପାଇଁ ଅଧିକ ଋଣ କରିଛନ୍ତି କିନ୍ତୁ ଶିକ୍ଷା ଋଣ କିମିଥିବା ନେଇ ଆରବିଆଇ ପକ୍ଷରୁ ସୂଚନା ମିଳିଛି । ଗତ ୧୫ ମାସ ମଧ୍ୟରେ ବ୍ୟାଙ୍କ ଦ୍ବାରା ଦିଆଯାଇଥିବା ବ୍ୟକ୍ତିଗତ ଋଣ ଉପ​‌ରେ ଆରବିଆଇର ଡଟା ଅନୁସାରେ, ପ୍ରଥମ ଲହର ସମୟରେ ଲୋକେ କଞ୍ଜ୍ୟୁମର ଡ୍ୟୁରେବଲ୍ସ ପାଇଁ ଋଣ କରିଥିଲେ କିନ୍ତୁ ଏହା ଦ୍ବିତୀୟ ଲହର ବେଳେ କମିଛି ।

ଏହା ସହ ମାର୍ଚ୍ଚ ୨୦୨୦ ରୁ ମେ ୨୦୨୧ ମଧ୍ୟରେ ମିଳିଥିବା ତଥ୍ୟ ଅନୁସାରେ, କରୋନାର ଦ୍ବିତୀୟ ଲହର ସମୟରେ ବ୍ୟାଙ୍କ ଋଣ ଖୁବ କମ୍‌ ହୋଇଛି। ସେପଟେ ପ୍ରଥମ ଲହର ଏପ୍ରିଲ୍‌ରୁ ସେପ୍ଟମ୍ବର ୨୦୨୦ରେ ପର୍ସନାଲ୍‌ ଲୋନ୍‌ ୧୧ ପ୍ରତିଶତ ତୁଳନାରେ ଦ୍ବିତୀୟ ଲହରରେ ଏଥିରେ ୧୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।  ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ, ଦେଶବ୍ୟାପୀ ଜୋରଦାର ଟିକାକରଣ ଚାଲିଥିବା ବେଳେ ବ୍ୟାଙ୍କରୁ ଅଧିକରୁ ଅଧିକ ଲୋକେ ଋଣ ନେବେ​‌ ବୋଲି ଆରବିଆଇ ଆଶ ପ୍ରକଟ କରିଛି।

ଆରବିଆର ବାର୍ଷିକ ରିପୋର୍ଟ ମୁତାବିକ, ଘର ଏବଂ ଶିକ୍ଷା ଋଣ ସୁଧହାରରେ ଏକ ପ୍ରତିଶତ ହ୍ରାସ କରାଯାଇଥିବା ବେଳେ ଗାଡ଼ି ଋଣ ପାଇଁ ୫୦-୭୦ ବେସିସ୍‌ ପଏଣ୍ଟ ହେବା ପରେ ବ୍ୟକ୍ତିଗତ ଋଣ ପୋର୍ଟଫୋଲିଓରେ ବୃଦ୍ଧି ହୋଇଛି। ବ୍ୟକ୍ତିଗତ ଋଣରେ ଘର ଲୋନ୍‌, ଶିକ୍ଷା ଋଣ, ଗାଡ଼ି ଋଣ, ସୁନା ଉପରେ ଋଣ ଏବଂ କଞ୍ଜ୍ୟୁମର ଡ୍ୟୁରେବଲ୍ସ ଋଣ ଆଦି ସାମିଲ ରହିଛି।

 ତଥ୍ୟରୁ ଜଣାପଡ଼ିଛି, ଦୀର୍ଘ ୮ ମାସ ପରେ ମେ’ରେ ଘର ଋଣ ଡବଲ୍‌ ଡିଜିଟ୍‌ ଛୁଇଁଥିଲା। କିନ୍ତୁ ପୂର୍ବବର୍ଷ ତୁଳନାରେ ଏଥିରେ ହ୍ରାସ ଘଟଛି। ଏଥିରୁ ଜଣାପଡ଼ୁଛି ମହାମାରୀକୁ ନେଇ ଆସିଥିବା ଅନିଶ୍ଚିତତାରେ ନିଜକୁ ବଞ୍ଚାଇବା ପାଇଁ ଋଣକର୍ତ୍ତା ସଂଘର୍ଷ କରୁଛନ୍ତି । ଏହା ସହ ଗାଡ଼ି ଋଣ ଏବଂ ଅନ୍ୟ ପର୍ସନାଲ୍‌ ଲୋନ୍‌ ହାର ମଧ୍ୟ ବଢ଼ିଛି। ସେହଭିଳି ଶିକ୍ଷା ଋଣ କଥା କହିବାକୁ ଗ​‌ଲେ ଏଥିରେ ହ୍ରାସ ଦେଖାଯାଇଛି।

ଆରବିଆଇ ରିପୋର୍ଟ ଅନୁସାରେ ଶିକ୍ଷା ଋଣ  କ୍ଷେତ୍ରରେ ଉଭୟ ପ୍ରଥମ ଏବଂ ଦ୍ବିତୀୟ ଲହରରେ ଲଗାତାର ହ୍ରାସ ପରିଲକ୍ଷିତ ହୋଇଛି। କରୋନା ମହାମାରୀ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଯୋଗୁ ବିଦେଶରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମଧ୍ୟ ନିଜର ପାଠ୍ୟକ୍ରମ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ସବୁ କାରଣ ଯୋଗୁଁ ଶିକ୍ଷା ପାଇଁ ଋଣରେ ହ୍ରାସ ଘଟିଛି ବୋଲି କେୟାର ରେଟିଂସ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନାଭିସ୍‌ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.