ଏଏଫସି ମହିଳା ଏସିଆନ କପ୍-୨୦୨୨ : ଗୁରୁବାର ଭାରତ-ଇରାନ ମୁକାବିଲା

Published By : Prameya-News7 Bureau | January 20, 2022 IST

ମୁମ୍ବାଇ,୨୦/୦୧: ଗୁରୁବାରଠୁ ଆରମ୍ଭ ହେବ ଏଏଫ୍‌ସି ମହିଳା ଏସିଆନ୍‌ କପ୍‌-୨୦୨୨ । ୧୯୭୯ରେ ଭାରତ ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ ଆୟୋଜନ କରିଥିଲା । ପୁଣି ଦୀର୍ଘ ବର୍ଷ ପରେ ଦ୍ୱିତୀୟ ଥର ଏସିଆର ଏହି ମର୍ଯ୍ୟାଦାଜନକ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି ଭାରତ । ମୋଟ୍‌ ୩ଟି ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ମୁମ୍ବାଇ, ନଭି ମୁମ୍ବାଇ ଓ ପୁନେରେ ସମସ୍ତ ମ୍ୟାଚ୍‌ ଖେଳାଯିବ । ମୋଟ୍‌ ୧୨ଟି ଦଳ ଏଥିରେ ଭାଗ ନେଇଛନ୍ତି । ଦଳ ଗୁଡ଼ିକ ହେଲେ ଆୟୋଜକ ଭାରତ, ଚୀନ, ଚାଇନିଜ ତାଇପେ, ଇରାନ, ଅଷ୍ଟ୍ରେଲିଆନ, ଥାଇଲାଣ୍ଡ, ଫିଲିପାଇନ୍ସ, ଇଣ୍ଡୋନେସିଆ, ଜାପାନ, ଦକ୍ଷିଣ କୋରିଆ, ଭିଏତନାମ ଓ ମ୍ୟାଁମାର । ଦଳ ଗୁଡ଼ିକୁ ୩ଟି ଗ୍ରୁପ୍‌ରେ ଭାଗ କରାଯାଇଛି । ଭାରତ ଗ୍ରୁପ୍‌ ଏ’ରେ ଚୀନ, ଚାଇନିଜ ତାଇପେ ଓ ଇରାନ ସହ ରହିଛି ।

ଶୁକ୍ରବାର ଗ୍ରୁପ୍‌ ଏ’ରେ ଦୁଇଟି ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌ ଚୀନ ଓ ଚାଇନିସ ତାଇପେ ଏବଂ ଦ୍ୱିତୀୟ ମ୍ୟାଚ୍‌ ଭାରତ ଓ ଇରାନ ମଧ୍ୟରେ ରହିଛି । ଏଏଫ୍‌ସି ମହିଳା ଏସିଆନ୍‌ କପରେ ପୂର୍ବରୁ ଭାରତ ୩ ଥର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି । ୧୯୭୯ ଓ ୧୯୮୩ରେ ଦୁଇ ଥର ଟାଇଟଲ ଜିତିବାରୁ ବଞ୍ଚିତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା । ୧୯୮୧ରେ ତୃତୀୟ ସ୍ଥାନ ହାସଲ କରିଥିଲା । ଏହାପରେ ଦଳର ପ୍ରଦର୍ଶନ ଅତି ଦୁର୍ବଳ ରହିଥିଲା । ଏ ପର୍ଯ୍ୟନ୍ତ ଦଳ ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ହାସଲ କରିବାରେ ମଧ୍ୟ ସଫଳ ହୋଇପାରୁ ନଥିଲା । ଶେଷରେ ଆୟୋଜକ ଭାବେ ଏହି ସଂସ୍କରଣରେ ଖେଳିବାର ଯୋଗ୍ୟତା ଲାଭ କରିଛି ଭାରତୀୟ ମହିଳା ଦଳ । ୧୯୭୫ ମସିହାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା ।

ଏ ପର୍ଯ୍ୟନ୍ତ ୧୯ଟି ସଂସ୍କରଣ ଖେଳ ଶେଷ ହୋଇଛି । ଚୀନ ସର୍ବାଧିକ ୮ ଥର ଚାମ୍ପିଅନ ହୋଇଛି । ୨୦୧୮ ସଂସ୍କରଣ ଜୋର୍ଡାନ ଆୟୋଜନ କରିଥିଲା, ଏଥିରେ ଜାପାନ ଚାମ୍ପିଅନ ହୋଇଥିଲା । ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରୀ ୬ ତାରିଖରେ ଶେଷ ହେବ । ଗ୍ରୁପ୍‌ ଏ’ରେ ଭାରତ ପ୍ରଥମ ମ୍ୟାଚ୍‌ ଇରାନ (୨୦ ତାରିଖ), ଦ୍ୱିତୀୟ ମ୍ୟାଚ୍‌ ଚାଇନିଜ ତାଇପେ (୨୩ ତାରିଖ) ଏବଂ ତୃତୀୟ ମ୍ୟାଚ୍‌ ଚୀନ ସହ (୨୬ ତାରିଖ) ଖେଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.