'ତାଇୱାନକୁ ସାହାଯ୍ୟ କଲେ ପରମାଣୁ ବୋମାରେ ଦେବୁ ଜବାବ, ଜାପାନକୁ ଧମକ ଦେଲା ଚୀନ

Published By : Prameya-News7 Bureau | July 20, 2021 IST

ନୂଆଦିଲ୍ଲୀ ୨୦/୦୭ : 'ତାଇୱାନକୁ ସାହାଯ୍ୟ କଲେ ପରମାଣୁ ବୋମାରେ ଦେବୁ ଜବାବ…' ଜାପାନକୁ ଚୀନ୍ ଏହିଭଳି ଧମକ ଦେଇଛି। ଅନେକ ଥର ଅନ୍ତର୍ଜାତୀୟ ଫୋରମରେ ପରମାଣୁ ବୋମା ବ୍ୟବହାର ନକରିବା ବିଷୟରେ କହିଥିବା ଚୀନ୍ର ଦୋମୁହାଁ ଚରିତ୍ର ସାମ୍ନାକୁ ଆସିଛି। କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିସିପି) ଏହି ଭିଡିଓ ମାଧ୍ୟମରେ ଜାପାନ ଉପରେ ଆଣବିକ ଆକ୍ରମଣର ଧମକ ଦେଇଥିବା ଏକ ଭିଡିଓ ଜାରି କରିଛି। କୁହାଯାଇଛି ଯେ ଯଦି ଜାପାନ ତାଇୱାନକୁ ସାହାଯ୍ୟ କରେ ତେବେ ପରମାଣୁ ବୋମାରେ ଆକ୍ରମଣ କରିବ।

'ଫକ୍ସ ନ୍ୟୁଜ୍'ର ଏକ ରିପୋର୍ଟ ଅନୁଯାୟୀ ଏହି ଭିଡିଓ ଏକ ଚ୍ୟାନେଲରେ ପ୍ରସାରଣ କରାଯାଇଛି ଏବଂ ସିସିପି ଏହାକୁ ସ୍ପଷ୍ଟ କରିଛି। ଭିଡିଓରେ କୁହାଯାଇଛି ଯେ 'ଆମେ ପ୍ରଥମେ ପରମାଣୁ ବୋମା ବ୍ୟବହାର କରିବୁ। ଆମେ ଲଗାତାର ପରମାଣୁ ବୋମା ବ୍ୟବହାର ଜାରି ରଖିବୁ। ଭିଡିଓରେ ଆହୁରି କୁହାଯାଇଛି ଯେ 'ଜାପାନ ବିନା ସର୍ତ୍ତରେ ଆତ୍ମସମର୍ପଣ ନକରିବା ପର୍ଯ୍ୟନ୍ତ ଆମେ ଏହା ଜାରି ରଖିବୁ'। ତାଇୱାନ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ଚାଇନାର ପ୍ଲାଟଫର୍ମ Xigua ରେ ଏହି ଭିଡିଓରେ ୨ ମିଲିୟନ୍ ଭ୍ୟୁ ହେବା ପରେ ଡିଲିଟ କରାଯାଇଛି। କିନ୍ତୁ ଏହି ଭିଡିଓର କପି ୟୁଟ୍ୟୁବ୍ ଏବଂ ଟ୍ୱିଟରରେ ଅପଲୋଡ୍ ହୋଇଛି।

ଚୀନ୍ ତରଫରୁ ଏହି ଆଣବିକ ହମଲାର ଧମକ ସେତେବେଳେ ଦିଆଯାଇଛି ଯେତେବେଳେ ଦୁଇ ସପ୍ତାହ ପୂର୍ବରୁ ତାଇୱାନର ସାର୍ବଭୌମତ୍ୱ ରକ୍ଷା କରାଯିବ କଥା କୁହାଯାଇଥିଲା। ଜାପାନର ଉପମୁଖ୍ୟମନ୍ତ୍ରୀ ତାରୋ ଆସୋ କହିଥିଲେ ଯେ ଜାପାନ ନିଶ୍ଚିତ ଭାବେ ତାଇୱାନକୁ ସୁରକ୍ଷା ଦେବା ଉଚିତ। ସେ ଆହୁରି ମଧ୍ୟ କହିଥିଲେ ଯେ 'ଯଦି ତାଇୱାନରେ କିଛି ବଡ଼ ଘଟଣା ଘଟେ, ତେବେ ଏହା ଜାପାନର ଅସ୍ତିତ୍ୱ ପ୍ରତି ବିପଦ ହେବ ବୋଲି ବିଶ୍ୱାସ କରିବା ଅସ୍ୱାଭାବିକ ନୁହେଁ'। ସେ କହିଥିଲେ ଯେ ଏଭଳି ପରିସ୍ଥିତିରେ ଜାପାନ ଏବଂ ଆମେରିକାକୁ ତାଇୱାନର ସୁରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ।

ମ୍ୟାନଲ୍ୟାଣ୍ଡ ଚାଇନାର ଦକ୍ଷିଣ-ପୂର୍ବ ତଟରେ ଅବସ୍ଥିତ ତାଇୱାନର ଜନସଂଖ୍ୟା ୨୪ ନିୟୁତ। ଆରମ୍ଭରୁ ତାଇୱାନ ଉପରେ ଚୀନ୍ ନିଜର ଅଧିକାର ଜାହିର କରିଆସିଛି। ନିକଟରେ ଜାପାନର ଉପମୁଖ୍ୟମନ୍ତ୍ରୀ ତାରୋ ଆସୋଙ୍କ ତାଇୱାନ ଉପରେ ଚୀନ୍ ଆକ୍ରମଣ ଘଟଣାରେ ଜାପାନ ସେନାର ସାହାଯ୍ୟ ବୟାନ ଯୋଗୁଁ 'ଡ୍ରାଗନ୍' କ୍ରୋଧିତ ଅଛି।

ଚୀନ୍ର ରାଷ୍ଟ୍ରାୟତ୍ତ ଖବରକାଗଜ 'ଗ୍ଲୋବାଲ ଟାଇମ୍ସ'ର ସମ୍ପାଦକ ହୁ ସିଜିନ ଧମକ ଦେଇଛନ୍ତି ଯେ ଯଦି ଜାପାନ ସେନା ତାଇୱାନକୁ ସାହାଯ୍ୟ କରିବାକୁ ଆସନ୍ତି ତେବେ ଚୀନ୍ ସେନା ତାଙ୍କୁ ସଫା କରିଦେବ। ଚୀନ ତାଇୱାନର ଶାନ୍ତିପୂର୍ଣ୍ଣ ମିଶ୍ରଣ ବିଷୟରେ କଥାବାର୍ତ୍ତା କରେ କିନ୍ତୁ ଏହାର କ୍ଷମତାର ବ୍ୟବହାରକୁ ପ୍ରତ୍ୟାଖ୍ୟାନ କରିନାହିଁ। କେବଳ ଏତିକି ନୁହେଁ ଚୀନ୍ ବାୟୁସେନାର ଯୁଦ୍ଧ ବିମାନ ଅଧିକାଂଶ ସମୟରେ ତାଇୱାନ ଅଞ୍ଚଳରେ ପ୍ରବେଶ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.