କୋଭିସିଲ୍ଡ ପାର୍ଶ୍ୱ ପ୍ରତିକ୍ରିୟା, ଜାଣନ୍ତୁ ଭେକ୍ସିନ ନେଇଥିବା ଲୋକଙ୍କୁ ବିପଦ କେତେ?

Published By : Prameya-News7 Bureau | April 30, 2024 IST

ନୂଆଦିଲ୍ଲୀ ୩୦।୪: କରୋନା ଭାଇରସ ମହାମାରୀ ଯୋଗୁ ସାରା ବିଶ୍ୱରେ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। କୋଭିଡରୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଅନେକ ଦେଶରେ ସରକାର ଭେକ୍ସିନ ବ୍ୟବସ୍ଥା କରିଥିଲେ। ବିଶ୍ୱର କେତେକ କମ୍ପାନୀ କୋଭିଡ ଭେକ୍ସିନ ତିଆରି କରିଥିଲେ। ଏମାନଙ୍କ ମଧ୍ୟରେ ଏଷ୍ଟ୍ରାଜେନେକା ଅନ୍ୟତମ ଥିଲେ, ଯିଏ କୋଭିସିଲ୍ଡ ନାମରେ କରୋନା ଭେକ୍ସିନ ତିଆରିଥିଲେ। ସେ ଏବେ ସ୍ୱୀକାର କରିଛନ୍ତି ଯେ ତାଙ୍କ ପ୍ରସ୍ତୁତ ଭେକ୍ସିନ ଯୋଗୁ କିଛି ଲୋକଙ୍କୁ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ଭାରତରେ ଲୋକଙ୍କୁ ୧.୭ ବିଲିୟନ ଡୋଜ୍ କୋଭିସିଲ୍ଡ  ଟିକା ଦିଆଯାଇଛି। 

ଭାରତରେ ୯୩ ପ୍ରତିଶତ ଲୋକେ କୋଭିଡ ଟିକା ନେଇଛନ୍ତି। କୋଭିଡ ଭେକ୍ସିନକୁ ମନିଟର କରୁଥିବା ଆପ୍ କୋୱିନ ତଥ୍ୟ ଅନୁସାରେ ଆଫ୍ଟର ଇଭେଣ୍ଟ ଫଲୋଇଙ୍ଗ ଇମ୍ୟୁନାଇଜେସନ (ଏଇଏଫଆଇ) ମାମଲା ୦.୦୦୭ପ୍ରତିଶତ। ଅର୍ଥାତ ଭାରତରେ ଏହି ଟିକା ଯୋଗୁ ଲାଭ ପ୍ରତିଶତ ଉଚ୍ଚ ଥିବା ବେଳେ କ୍ଷତି ଅତ୍ୟନ୍ତ ନଗଣ୍ୟ ରହିଛି। କୌଣସି ଟିକା ରୋଲଆଉଟ ହେବା ପରେ ଏଇଏଫଆଇ ଦେଖାଯାଇଥାଏ। ସେହି ଅନୁସାରେ ଭାରତ ସରକାର ମଧ୍ୟ ଟିକାକରଣର ଦୀର୍ଘ ସମୟ ପର୍ଯ୍ୟନ୍ତ ମନିଟରିଂ କରିଥିଲେ। 

ହେଲେ ଏବେ ଏଷ୍ଟ୍ରାଜେନେକା ନେଇ ଆସିଥିବା ଖବର ପରେ ଭାରତରେ କୋଭିସିଲ୍ଡ ଟିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବିଶେଷଜ୍ଞଙ୍କ ଅନୁସାରେ ଟିକାର ଏତେ ଦୀର୍ଘ ପ୍ରଭାବ ନଥାଏ। ଯଦି କୌଣସି ସମସ୍ୟା ହେବାର ଥାଆନ୍ତା ତେବେ ଟିକା କରଣର ତୁରନ୍ତ ପରେ ଅଥବା ମାସେ ଦେଢ ମାସ ପରେ ପ୍ରଭାବ ଦେଖିବାକୁ ମିଳିଥାନ୍ତା। ଯଦି ବି ପ୍ରଭାବ ଦେଖାଯାଇଛି ତାହା ଭାରତରେ ଏଇଏଫଆଇ ପ୍ରତିଶତ ୦.୦୦୭ ପ୍ରତିଶତ। ଅର୍ଥାତ ଏବେ ଆଉ ଡରିବାର କୌଣସି କାରଣ ନାହିଁ। 

ଭାରତ ସରକାର ଦେଶରେ କରୋନା ଟିକା ରୋଲ ଆଉଟ୍ ପରେ ଏଇଏଫଆଇ ପୋର୍ଟାଲ ତିଆରି କରିଥିଲେ। ଏହା ସହିତ ଏକ ଏଇଏଫଆଇ କମିଟି ମଧ୍ୟ ଗଠନ କରିଥିଲେ। ସବୁଠୁ ଶେଷରେ ଏହି କମିଟି ମେ ୨୦୨୨ରେ ତାଙ୍କ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ସେମାନଙ୍କୁ ନେଇ ଥିଲା ଯେଉଁମାନେ ଟିକା ନେବା ପରେ କମ୍ପ୍ଲିକେସନର ଅଭିଯୋଗ କରିଥିଲେ। ତେବେ ଏହି ସମସ୍ୟା ଏକାକୀ କୋଭିସିଲ୍ଡ ସହିତ ନଥିଲା ବରଂ ସ୍ପୁଟନିକ, କୋଭାକ୍ସିନ ଓ କୋରବେ ଭାକ୍ସ ସହିତ ମଧ୍ୟ ଥିଲା। ଏହି ସବୁ ଟିକା ନେବା ପରେ ଲୋକେ ସେମାନଙ୍କ ଅସୁବିଧା ସମ୍ପର୍କରେ ଜଣାଇଥିଲେ ଓ ଏ ସମ୍ପର୍କିତ ସୂଚନା ଇଣ୍ଟରନେଟକୁ ଯାଇ ଏଇଏଫଆଇ ଟାଇପ୍ କଲେ ଆପଣ ବି ଦେଖିପାରିବେ। 

କୋଭିସିଲ୍ଡକୁ ନେଇ ଯେଉଁ ପ୍ରକାର ଦାବି କରାଯାଉଛି ଏହାର ସୂଚନା ପୂର୍ବରୁ ବି ଥିଲା। ହେଲେ ଏହାର ଲାଭ ତୁଳନାରେ କ୍ଷତିର ପ୍ରତିଶତ ଖୁବ୍ ନଗଣ୍ୟ ଥିଲା। ସିରମ ଇନିଷ୍ଟିଚ୍ୟୁଟ ଅନୁସାରେ ଟିକା ନେବା ପରେ ଆପଣ ବେହୋସ  ହୋଇପାରନ୍ତି ବା ମୁଣ୍ଡ ବୁଲାଇବା ଭଳି ଲାଗିପାରେ। ଏହି ଛଡା ହୃଦୟର ସ୍ପନ୍ଦନରେ ପରିବର୍ତ୍ତନ, ନିଶ୍ୱାସ ଫୁଲିବା ବା ନିଶ୍ୱାସ ନେବା ବେଳେ  ସିଟି ବାଜିବା ଭଳି ଶବ୍ଦ ହେବା ସମସ୍ୟା ହୋଇପାରେ। ଓଠ, ମୁଁହ ଓ ଗଳାରେ ଫୁଲାପଡିପାରେ। କମ୍ପାନୀ କହିଥିଲା ଯେ ଟିକାକରଣ ପରେ ଏକ ସଙ୍ଗରେ ଅନେକ ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇପାରେ। ଯେଉଁଥିରେ ମାଂସପେସୀ, ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ଥର ଲାଗିବା ଭଳି ଅନୁଭବ ବି ହୋଇପାରେ। ଏପରି ପରିସ୍ଥିତି ହେଲେ କମ୍ପାନୀ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଥିଲା। କମ୍ପାନୀ କହିଥିଲା ଯେ ଏପରି ସମସ୍ୟା ୧୦ ଜଣରେ ଜଣକୁ ହୋଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.