ଦେଖନ୍ତୁ ଇରାନର ମିସାଇଲ୍ ମାଡରେ କେମିତି ନଷ୍ଟ ହୋଇ ଆମେରିକାର ସୈନ୍ୟ ଆଡ୍ଡା
9/01/2020 at 2:33 PM

ବାଗଦାଦ ୦୯।୦୧ – ଇରାନ୍ର ମିସାଇଲ୍ ମାଡରେ ଆମେରିକାର ସୈନ୍ୟ ଆଡ୍ଡାମାନଙ୍କର ପ୍ରବଳ କ୍ଷତି ହୋଇଛି । ଏହି ମିସାଇଲ୍ ଆକ୍ରମଣରେ ଆମେରିକାର ୮୦ ଜଣ ସୈନ୍ୟଙ୍କର ମୃତ୍ୟୁ ହୋଇଥିବା କଥା ଇରାନ୍ ଦାବି କରୁଥିବା ବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଖଣ୍ଡନ କରିଛନ୍ତି । ମାତ୍ର ଉପଗ୍ରହରୁ ନିଆଯାଇଥିବା ଫଟୋରୁ ଆମେରିକାର ସୈନ୍ୟ ଆଡ୍ଡା ନଷ୍ଟ ହୋଇଥିବା ସ୍ପଷ୍ଟ ଦେଖାଯାଉଛି ।

ଇରାକ୍ରେ ଥିବା ଆମେରିକାର ସୈନ୍ୟ ଆଡ୍ଡା ଉପରେ ଇରାନ୍ ମିସାଇଲ୍ ଆକ୍ରମଣ କରିଥିଲା । କେତକ ମିସାଇଲ୍ ବାଟରେ ଖସିପଡିଥିଲା । ବାଗଦାଦରେ ସୀମାନନ୍ତବର୍ତ୍ତୀ ଗ୍ରାମ ନିକଟରେ କିଛି ମିସାଇଲ୍ ଖସିପଡିଥିଲା ।
ଏହି ଖସିପଡିବା ପରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ମାତ୍ର ଏଥିରେ ବିସ୍ପୋରଣ ନ ହେବାରୁ ନିକଟବର୍ତ୍ତୀ ଗ୍ରାମମାନଙ୍କରେ କୌଣସି କ୍ଷତି ହୋଇ ନଥିଲା ।

ବାଗଦାଦରେ ଥିବା ଆମେରିକାର ଅଲ୍ଅସଦ୍ ଏୟାରବେସ୍ରେ ୭ଟି ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ସାଟେଲାଇଟ୍ ଛବିରୁ ଏହା ସ୍ପଷ୍ଟ ଦେଖାଯାଉଛି। ମାତ୍ର ଆକ୍ରମଣ ପୂର୍ବରୁ ଆମେରିକା ଏହାର ସୂଚନା ପାଇଥିବାରୁ ସେଠାରୁ ସୈନ୍ୟମାନଙ୍କୁ କାଢି ନେଇଥିଲା ବୋଲି ଦର୍ଶାଇଛି ।

ଇରାନ୍ର କିଛି ମିସାଇଲ୍ ଅଲ୍ ଅସଦ ଏୟାରବେସ୍ରୁ ୩୦ କିଲୋମିଟର ଦୂରରେ ପଡିଥିଲା । ଅହିତ ନାମକ ଗାଁ ନିକଟରେ ଏହି ମିସାଇଲ୍ ପଡି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ମାତ୍ର ଏଥିଯୋଗୁଁ ସେହି ସ୍ଥାନରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ।

ଗୁରୁବାରରେ ବି ଇରାନ୍ ଆମେରିକାର ଦୂତାବାସ ଉପରକୁ ଆକ୍ରମଣ କରିଥିଲା । ମାତ୍ର ଏହି ମିସାଇଲ୍ ବାଗଦାଦର ଗ୍ରୀନ ଜୋନ୍ରେ ବିସ୍ଫୋରଣ ହୋଇଥିଲା ।
