ଇରାନ ରାଷ୍ଟ୍ରପତିଙ୍କୁ ନେଇଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ହୋଇପାରୁନି ଯୋଗାଯୋଗ

Published By : Prameya-News7 Bureau | May 19, 2024 IST

ତେହେରାନ ୧୯।୫: ଇରାନ ରାଷ୍ଟ୍ରପତି ଇବ୍ରାହୀମ ରଇସୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟରକୁ ରବିବାର ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଜରୁରି ଅବତରଣ କରାଯାଇଥିଲା। ଏହା ପରଠାରୁ ହେଲିକପ୍ଟର ଅଥବା ଏଥିରେ ଥିବା ଯାତ୍ରୀଙ୍କ ନେଇ କୌଣସି ସୂଚନା ମିଳୁ ନାହିଁ। ଇରାନ ସରକାରୀ ଟେଲିଭିଜନ ସୂତ୍ରରୁ ଏହି ଖବର ଆସୁଛି। ରାଷ୍ଟ୍ରପତି ରଇସୀଙ୍କ ସହ ହେଲିକପ୍ଚରରେ ବିଦେଶମନ୍ତ୍ରୀ ମଧ୍ୟ ଥିଲେ। ହେଲିକପ୍ଟରକୁ ପୂର୍ବ ଆଜରବୈଜାନ କ୍ଷେତ୍ରରେ ହାର୍ଡ ଲ୍ୟାଣ୍ଡିଂ କରାଯାଇଥିଲା।  

ହେଲିକପ୍ଟରକୁ ଅବତରଣ କରାଯିବା ସହ ଘଟଣାସ୍ଥଳକୁ ତୁରନ୍ତ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଛି। କୁହୁଡି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି। ତେବେ ସ୍ଥାନୀୟ ଗଣମାଧ୍ୟମଙ୍କ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ହେଲିକପ୍ଟର ସହ କୌଣସି ସମ୍ପର୍କ ସ୍ଥାପିତ ହୋଇ ପାରୁ ନାହିଁ। ‘ତେହେରାନ ଟାଇମ୍ସ’ ଅନୁସାରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ସ୍କ୍ୱାଡ୍ରନରେ ୩ଟି ହେଲିକପ୍ଟର ଥିଲେ, ଏଥିରୁ ୨ଟି ସକୁଶଳେ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି। 


ସରକାରୀ ଟିଭି ସୂଚନା ଅନୁସାରେ ଘଟଣା ଇରାନ ରାଜଧାନୀ ତେହେରାନ ଠାରୁ ଉତ୍ତର-ପଶ୍ଚିମ ଦିଗରେ ପାଖାପାଖି ୬୦୦ କିଲୋମିଟର ଦୂରରେ ଅଜରବୈଜାନ ଦେଶର ସୀମାରେ ଥିବା ସହର ଜୋଲଫା ନିକଟରେ ଘଟିଛି। ରଇସୀ ରବିବାର ପ୍ରତ୍ୟୁଷରେ ଅଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କ ସହ ଏକ ବନ୍ଧ ଉଦଘାଟନ ନିମନ୍ତେ ଅଜରବୈଜାନରେ ଥିଲେ। ଏହି ଉଭୟ ଦେଶଙ୍କ ଦ୍ୱାରା ଅରାସ ନଦୀ ଉପରେ ନିର୍ମିତ ଏହା ତୃତୀୟ ବନ୍ଧ। 

ଇରାନରେ ଅନେକ ପ୍ରକାରର ହେଲିକପ୍ଟର ଉଡୁଛି। ତେବେ ଅନ୍ତର୍ଜାତୀୟ କଟକଣା ଯୋଗୁ ସେହିସବୁ ହେଲିକପ୍ଟର ଲାଗି ଯନ୍ତ୍ରାଂଶ ଯୋଗାଡ କରିବା ଇରାନ ଲାଗି କଠିନ ହେଉଛି। ଏହାର ସାମରିକ ବିମାନ ସ୍କ୍ୱାଡ୍ରନ ମଧ୍ୟ ୧୯୭୯ ଇସ୍ଲାମିକ କ୍ରାନ୍ତି ପୂର୍ବର। ୬୩ବର୍ଷ ବୟଷ୍କ ରଇସୀ ଜଣେ ମୌଳବାଦୀ ନେତା ଓ ସେ ଅତୀତରେ ଇରାନ ନ୍ୟାୟପାଳିକା ମୁଖ୍ୟ ମଧ୍ୟ ଥିଲେ। ତାଙ୍କୁ ଇରାନରେ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲୀ ଖୋମେନେଇଙ୍କ ଶିଷ୍ୟ ରୂପେ ମଧ୍ୟ ଜଣାଯାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.