ଆସୁଛି ଆଗାମୀ ବଜେଟ୍‌, ଭାରତୀୟ ଉତ୍ପାଦକୁ ଅନ୍ତର୍ଜାତୀୟ ସ୍ତରରେ ଆଦୃତ କରିବା ପ୍ରୟାସରେ ସରକାର

Published By : Prameya-News7 Bureau | January 21, 2022 IST

ନୂଆଦିଲ୍ଲୀ, ୨୧/୦୧: ଆଗାମୀ ୨୦୨୨-୨୩ ବଜେଟ୍‌ ଖୁବ୍‌ଶିଘ୍ର ସଂସଦରେ ଉପସ୍ଥାପନ ହେବାକୁ ଯାଉଛି । ଚଳିତ ଥର ଭାରତୀୟ ଉତ୍ପାଦକୁ ଅନ୍ତର୍ଜାତୀୟ ସ୍ତରରେ ଆଦୃତ କରିବା ପାଇଁ ଯୋଜନା କରାଯାଉଛି । କେନ୍ଦ୍ର ସରକାର କେବଳ ଭାରତରେ ଏହାର ଉତ୍ପାଦ ଶସ୍ତା କରିବାକୁ ପ୍ରୟାସ କରୁନହାନ୍ତି ଏଥି ସହିତ ଭାରତ ବାହାରେ ମଧ୍ୟ ଘରୋଇ ଦ୍ରବ୍ୟକୁ ଶସ୍ତାରେ ଉପଲବ୍ଧ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ମିଳିଥିବା ସୂତ୍ର ଅନୁସାରେ ଭାରତୀୟ ଉତ୍ପାଦର ବିଦେଶରେ ମାର୍କେ଼ଟିଂ କ୍ୟାମ୍ପେନ୍‌କୁ ନେଇ ଏଥର ବଜେଟ୍‌ରେ ବଡ଼ ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି ।

ବଜେଟ୍‌ ସହିତ ଜଡ଼ିତ ଜଣେ ଅଧିକାରୀଙ୍କ କହିବା ଅନୁସାରେ , ବିଶ୍ୱ ବାଣିଜ୍ୟ ମାମଲାରେ ଭାରତର କାରବାରକୁ ବୃଦ୍ଧି କରିବାକୁ ଫୋକସ୍‌ କରାଯାଉଛି । ଏହା ସହିତ କାରବାରରେ କିପରି କୌଣସି ପ୍ରତିବନ୍ଧକ ନଆସେ ଏହା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ସୂଚନା ଅନୁସାରେ ଯେଉଁ ଉତ୍ପାଦକ ବିଦେଶରେ ନିଜ ଉତ୍ପାଦ ଉପରେ ଭଲ ମାର୍କେଟିଂ କରିବେ, ସେମାନଙ୍କୁ ଏହି କ୍ଷେତ୍ରରେ ଟ୍ୟାକ୍ସରୁ କିଛିଟା ଆସ୍ୱସ୍ତି ମିଳିବ । କେବଳ ବିଦେଶ ଯାଇ ସେଠାରେ ଷ୍ଟଲ୍‌ ଲଗାଇବା କ୍ଷେତ୍ରରେ ନୁହେଁ ଏଥି ସହିତ ଡିଜିଟାଲ୍‌ ମଧ୍ୟମରେ ମଧ୍ୟ କରାଯାଉଥିବା କ୍ୟାମ୍ପେନିଂରେ ମଧ୍ୟ ଟ୍ୟାକ୍ସ ହ୍ରାସ କରାଯିବ ।

ଏହାଛଡ଼ା ଛୋଟ ଏବଂ ମଧ୍ୟମ ଧରଣର ଉଦ୍ୟୋଗୀଙ୍କ ପାଇଁ, କେନ୍ଦ୍ର ସରକାର ବଜେଟ୍‌ରେ ଡବଲ୍‌ ଟ୍ୟାକ୍ସ ଡିଡକ୍ସନ୍‌ ସ୍କିମ୍‌ ଆଣିବା ପାଇଁ ବିଚାର କରୁଥିବା ଜଣାପଡ଼ିଛି । ଏହି ସ୍କିମ୍‌ ଜରିଆରେ ଉଦ୍ୟୋଗୀ ଇଣ୍ଟରନାସନାଲ୍‌ ମାର୍କେଟିଂ ଖର୍ଚ୍ଚ ଉପରେ ଦୁଇଗୁଣ ଟ୍ୟାକ୍ସ ହ୍ରାସ ପାଇବେ । ଏଥିସହିତ ବିଦେଶରେ ନୂଆ ବଜାର ଖୋଜିବା ଏବଂ ଉତ୍ପାଦରେ ପ୍ରମୋଶନ କରିବା ଉପରେ ହେଉଥିବା ଖର୍ଚ୍ଚ ଉପରେ ମଧ୍ୟ ଟ୍ୟାକ୍ସ ହ୍ରାସ କରାଯିବା ନେଇ ଆଲୋଚନା ଜାରି ରହିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.