ତୁମେ ଭାରି ସୁନ୍ଦର, ମଡେଲ୍ ହେବା ପାଇଁ ଫିଟ୍ : ଏମିତି କହି ଯୁବତୀଙ୍କୁ ଫଟୋ ଉଠାଇବାକୁ ଡାକିଲେ ଯୁବକ, ତାପରେ...

Published By : Prameya-News7 Bureau | January 24, 2021 IST

ପୁରୀ,୨୪/୦୧: ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଫସାଯାଉଛି । ସୁନ୍ଦରତାର ପ୍ରଶଂସା କରାଯାଉଛି । ମଡେଲ୍ ହେବା ପାଇଁ ଅଫର୍ ଦିଆଯାଉଛି । ଏତିକିରେ ଢଳି ଯାଇ ଭୁଲ କରିବାକୁ ପଛାଉ ନାହାଁନ୍ତି ଯୁବତୀ । ଡକା ଯାଇଥିବା ସ୍ଥାନରେ ପହଁଚିବା ପରେ ଦୁଷ୍କର୍ମର ଶିକାର ହେଉଛନ୍ତି । ପୁରୀରେ ହ୍ୱାଟସଆପ୍ ମେସେଜରେ ଏପରି କରି ଯୁବତୀଙ୍କୁ ଫସାଉଛନ୍ତି କିଛି ଠକ ।

‘ତୁମେ ଭାରି ସୁନ୍ଦର । ତୁମ ଚେହେରାରେ ଚମକ୍‌ ଅଛି । ମଡେଲ ହେବା ପାଇଁ ତୁମେ ଯୋଗ୍ୟ । ଏହାକୁ ପ୍ରଫେସନ କରି ନାଁ କମେଇବାକୁ ଚାହୁଁଥିଲେ ଅମକ ଜାଗାକୁ ଆସି ଫଟୋ ପୋଜ୍‌ ଦିଅ । ମୋବାଇଲରେ ଏପରି ମେସେଜ କରି କିଛି ଦଲାଲ ଯୁବତୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ସହ ରଚୁଛନ୍ତି ସାଙ୍ଘାତିକ ନାଟକ ।

ପୂର୍ବରୁ ସୋସିଆଲ୍‌ ମିଡିଆ ମାଧ୍ୟମରେ ସୁନ୍ଦରୀଙ୍କ ଜାଲରେ ଫସୁଥିଲେ ଯୁବକ । କିନ୍ତୁ ଏବେ ଏହାର ଓଲଟା କାରସାଦି ଆରମ୍ଭ ହୋଇଯାଇଛି। ଏବେ ଯୁବକଙ୍କ ଜାଲରେ ଫସୁଛନ୍ତି ସୁନ୍ଦରୀ । ମଡେଲ୍‌ ହେବାର ସ୍ୱପ୍ନରେ ଘରୁ ପଦାକୁ ଗୋଡ଼ କାଢ଼ିଲେ ଯୁବତୀଙ୍କ ସ୍ଥିତି ସଙ୍ଗୀନ ହୋଇଯାଉଛି। ମୁହଁ ଖୋଲିଲେ ମିଳୁଛି ଭିଡିଓ ଭାଇରାଲ୍‌ର ଧମକ । ଫଳରେ ପୀଡିତା ଚୁପ୍‌ ରହିବାକୁ ବାଧ୍ୟ ହେଉଛନ୍ତି । ଏକାଧିକ ଯୁବତୀ ଏଭଳି ଫାଶରେ ଛନ୍ଦି ହୋଇଥିବା ଘଟଣା ସହରରେ ବେଶ୍‌ ଚର୍ଚ୍ଚାର ରୂପ ନେବାରେ ଲାଗିଛି ।

ସୂଚନା ଅନୁସାରେ, ଫେସ୍‌ବୁକ୍‌ ମାଧ୍ୟମରେ ଯୁବତୀଙ୍କୁ କିଛି ଯୁବକ ଟାର୍ଗେଟ କରୁଛନ୍ତି । ଯୁବତୀମାନେ ନିଜର ଫଟୋ ଡିପିରେ ରଖୁଥିବାବେଳେ ଫେସ୍‌ବୁକ୍‌ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରୁଛନ୍ତି । ଏପରିକି ଅନେକ ନିଜ ଆଇଡିରେ ସେମାନଙ୍କ ମୋବାଇଲ୍‌ ନମ୍ବର ମଧ୍ୟ ରଖୁଛନ୍ତି । ଯାହା ଏହି ଦୁର୍ବୃତ୍ତଙ୍କ ପାଇଁ ଚାବି କାଠି ସାଜିଛି । ଠକ ଯୁବକ ମେସେଜ୍‌ ମାଧ୍ୟମରେ ପ୍ରଥମେ ଟାର୍ଗେଟରେ ଥିବା ଯୁବତୀଙ୍କ ଗୁଣଗାନ କରିବା ଆରମ୍ଭ କରୁଛନ୍ତି । ନିଜର ପ୍ରଶଂସା ଶୁଣି ଖୁସିରେ ଆତ୍ମହରା ହୋଇ ପଡୁଛନ୍ତି ଯୁବତୀ । ଇତିମଧ୍ୟରେ ବନ୍ଧୁତାର ଜାଲ ବିଛାଉଛନ୍ତି ଦୁର୍ବୃତ୍ତ । ଆଉ ତା’ ପରେ ଆରମ୍ଭ ହେଉଛି ଅନ୍ତରଙ୍ଗ ବାର୍ତ୍ତାଳାପ । ସୁଯୋଗ ଉଣ୍ଡି ଦୁର୍ବୃତ୍ତ ପ୍ରଲୋଭନ ଦେଖାଉଛନ୍ତି, ତୁମେ ଏତେ ସୁନ୍ଦର ହୋଇଛ, ମଡେଲ୍‌ ହେଲେ ଭଲ ହୁଅନ୍ତା । ମୁଁ ମଡେଲ ଫଟୋଗ୍ରାଫିରେ ଲାଇନ୍‌ରେ ଅଛି । ତୁମକୁ ମଡେଲ ଭାବେ ପରିଚିତ କରାଇବାର କ୍ଷମତା ମୋ ପାଖରେ ଅଛି । କାଳବିଳମ୍ବ ନକରି ଅମକ ସ୍ଥାନରେ ମୋତେ ଭେଟ ବୋଲି ସେମାନେ ଯୁବତୀଙ୍କୁ କହୁଛନ୍ତି ।

ଏହାପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଫଟୋ ଉଠାଇବା ନାଁରେ ନିରୀହ ଯୁବତୀଙ୍କୁ ସହର ବାହାରକୁ ନେଇ ଯାଉଛନ୍ତି । ସେଠାରେ ଥଣ୍ଡା ପାନୀୟରେ ନିଶା ମିଶାଇ ପିଆଇ ଦେବା ପରେ ଯୁବତୀଙ୍କୁ ଦୁଷ୍କର୍ମ କରୁଛନ୍ତି। ଏପରିକି ଅସଂଜତ ଅବସ୍ଥାର ଭିଡିଓ ମଧ୍ୟ ଉତ୍ତୋଳନ କରା ଯାଉଛି । ନିରାଶ ହୋଇ ପୀଡ଼ିତା ଘରକୁ ଫେରୁଛନ୍ତି । ପରବର୍ତ୍ତୀ ସମୟରେ ବାରମ୍ବାର ସଂପୃକ୍ତ ଠକ ଯୁବତୀଙ୍କୁ ଡାକିବା ସହ ମୁହଁ ଖୋଲିଲେ ଭିଡିଓ ଭାଇରାଲ୍‌ କରିବା ନେଇ ଧମକ ଦେଉଛନ୍ତି ।

ବଳିଆପଣ୍ଡା ଅଞ୍ଚଳର ଜଣେ ଯୁବତୀ କହିଛନ୍ତି ଯେ, ପ୍ରଥମେ ତାଙ୍କୁ ହ୍ୱାଟସଆପ୍‌ ମେସେଜ୍‌ରେ ରୂପ ବର୍ଣ୍ଣନା କରିଥିଲେ ଜଣେ ଯୁବକ । ସୁନ୍ଦର ଥିବା କହି ଫଟୋଗ୍ରାଫି କରିବାକୁ ଡାକିଥିଲେ । ସେ ଏଥିରେ ରାଜି ହୋଇଥିଲେ । ଯୁବତୀଜଣଙ୍କ ପ୍ରଥମେ ଲାଇଟ୍‌ ହାଉସ୍‌ ପରେ ଇଷ୍ଟୱେଷ୍ଟ ହୋଟେଲ୍‌ ପାଖକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ବାଇପାସ୍‌ ରୋଡରେ ସାକ୍ଷାତ କରି କିଛି ଫଟୋ ଉଠାଇଥିଲେ । ଏହାପରେ ବ୍ରହ୍ମଗିରି ଆଡକୁ ନେଇଥିଲେ । ଏକ ହୋଟେଲ୍‌ରେ ତାଙ୍କ ସହ ଦୁଷ୍କର୍ମ କରି ଛାଡ଼ି ଦେଇଥିଲେ । ଏ ସମ୍ପର୍କରେ କାହାକୁ କହିଲେ ଭିଡିଓ ଭାଇରାଲ୍‌ ହେବ ବୋଲି ଧମକ ଦେଇଛନ୍ତି । ତେଣୁ ପୁଲିସକୁ ବି ଜଣାଇବାକୁ ଭୟ କରୁଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.