ଭାରତ ପାଇଁ ବଡ଼ ଉପଲବ୍ଧି: ରତ୍ନ ଏବଂ ଅଳଙ୍କାର ରପ୍ତାନୀରେ ୭୧ ପ୍ରତିଶତ ବୃଦ୍ଧି

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ,୨୬/୦୧: ଫେବ୍ରୁଆରୀ ୧ରେ ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ । ଏହାର ଠିକ ଗୋଟିଏ ସପ୍ତାହ ପୂର୍ବରୁ ଭାରତର ରପ୍ତାନୀ କ୍ଷେତ୍ରରୁ ଆସିଛି ଭଲ ଖବର। ୨୦୨୧ ଏପ୍ରିଲରୁ ଡିସେମ୍ୱର ମଧ୍ୟରେ ରତ୍ନ ଏବଂ ଅଳଙ୍କାର ରପ୍ତାନୀରେ ୭୧ ପ୍ରତିଶତ ବୃଦ୍ଧି ଘଟି ୨୮.୯ ବିଲିୟନ ଡଲାରରେ ପହଞ୍ଚିଛି । ପୂର୍ବର ସମାନ ଅବଧିରେ ଏହି ସଂଖ୍ୟା ୧୬.୯ ବିଲିୟନ ଥିଲା ।

ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁସାରେ, ଡିସେମ୍ୱର ୨୦୨୧ରେ ରପ୍ତାନୀ ୧୬.୩୮ ପ୍ରତିଶତ ବୃଦ୍ଧି ୨.୯୯ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ୨୦୨୦ ଡିସେମ୍ୱରରେ ୨.୫୭ ବିଲିୟନ ଡଲାର ଥିଲା।

ଏହି ପ୍ରସଙ୍ଗରେ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ଅନୁସାରେ, ଚଳତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ୨୮.୯ ବିଲିୟନ ଡଲାରର ରତ୍ନ ଏବଂ ଅଳଙ୍କାର ରପ୍ତାନୀର ଲକ୍ଷ୍ୟ ହାସଲ କରିସାରିଛି । ଏହା ଗତ ଆର୍ଥିକ ବର୍ଷ (ଏପ୍ରିଲ ୨୦୨୦ରୁ ମାର୍ଚ୍ଚ ୨୦୨୧)ର ୨୬.୦୨ ବିଲିୟନ ଡଲାର ରପ୍ତାନୀକୁ ପାର କରିସାରିଛି। ଏପ୍ରିଲରୁ ଡିସେମ୍ୱର ୨୦୨୧ ସୁଦ୍ଧା ରତ୍ନ ଏବଂ ଅଳଙ୍କାର କ୍ଷେତ୍ର ଭାରତର ସମୁଦାୟ ରପ୍ତାନୀର ୯.୬ ପ୍ରତିଶତ । ଏହା ଇଞ୍ଜିନିୟରିଂ ଏବଂ ପେଟ୍ରୋଲିୟମ ପରେ ତୃତୀୟ ସବୁଠାରୁ ଅଧିକ ରପ୍ତାନୀ ହେଉଥିବା ଦ୍ରବ୍ୟ।

ସୂଚନାଯୋଗ୍ୟ ଯେ, ରତ୍ନ ଏବଂ ଅଳଙ୍କାର ଉଦ୍ୟୋଗ ଭାରତର ଜିଡିପିରେ ପ୍ରାୟ ୭ ପ୍ରତିଶତ ଯୋଗଦାନ ଦେଇଥାଏ। ୫୦ ଲକ୍ଷରୁ ଅଧିକ ଶ୍ରମିକଙ୍କୁ ଏହି ଉଦ୍ୟୋଗ ରୋଜଗାର ପ୍ରଦାନ କରିଥାଏ । କେନ୍ଦ୍ର ସରକାର ମଧ୍ୟ ରପ୍ତାନୀ ପ୍ରୋତ୍ସାହନ ପାଇଁ ରତ୍ନ ଏବଂ ଅଳଙ୍କାର ଉଦ୍ୟୋଗକୁ ଫୋକସରେ ରଖିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.