ଚୋରା ଚାଲାଣ ବେଳେ ଟ୍ରକ୍‌ରୁ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

Published By : Prameya-News7 Bureau | August 01, 2020 IST

ମୋହନା ୧।୮: ଗଜପତି ଜିଲ୍ଲା ମୋହନା ଥାନା ଲୁହଗୁଡି-ଚାନ୍ଦିପୁଟ ରାସ୍ତାରେ ଶୁକ୍ରବାର ମଧ୍ୟାହ୍ନ ସମୟରେ ପାଟ୍ରୋଲିଂ କରୁଥିବା ବେଳେ ଏକ ୧୪ ଚକିଆ ଟ୍ରକ୍ ସହ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୨ ଜଣକୁ ଗିରଫ କରାଯାଇଛି । ସେମାନେ ହେଲେ ବିହାରର ଔରଙ୍ଗବାଦ ଜିଲ୍ଲା ବାଲୁଗଞ୍ଜ ଥାନା ମିମିଟି ଗାଁର ନିଖିଲ କୁମାର (୨୩) ଓ ବାହାରା ଗାଁର ଅନୁରାଗ କୁମାର (୨୦) । ସେମାନେ ବର୍ତ୍ତମାନ ରାଉରକେଲା ଓ କଟକରେ ରହୁଥିବାବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୁଜିତ ନାୟକ କହିଛନ୍ତି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଅଶୋକ କୁମାର ମହାନ୍ତିଙ୍କ ତତ୍ତ୍ବାବଧାନରେ ମୋହନା ଥାନା ଅଧିକାରୀ ସୁଜିତ ନାୟକଙ୍କ ନେତୃତ୍ବରେ ଶୁକ୍ରବାର ମଧ୍ୟାହ୍ନରେ ସେହି ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିଲା । ଏହି ସମୟରେ ଓଆର୧୪ଡବ୍ଲୁ୭୨୭୭ ନମ୍ବର ବିଶିଷ୍ଟ ଏକ ୧୪ ଚକିଆ ଟ୍ରକ୍ କୁ ଅଟକାଇ ଯାଞ୍ଚ କରିଥିଲେ । ଏଥିରେ କିଛି ପିଆଜ ବସ୍ତା ଥିବାବେଳେ ତା ତଳେ ୩୮ ବସ୍ତାରେ ୧୦ କ୍ବିଣ୍ଟାଲ ୫୭ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା । ଯାହାର ଅନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଏହି ଗଞ୍ଜେଇ ଆର. ଉଦୟଗିରି ଅଞ୍ଚଳରୁ ବନାରସ ଚାଲାଣ କରାଯାଉଥିଲା । ମୋହନା ଥାନା କେସ୍ ନମ୍ବର ୧୨୦/୨୦ରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ୨ଜଣକୁ କୋର୍ଟ ଚାଲାଣ କରାଯିବା ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.