ପାର୍ଲାମେଣ୍ଟ ଘେରାଉକୁ ସ୍ଥଗିତ ରଖିଲେ ଚାଷୀ ନେତା : ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି, କିନ୍ତୁ କରିବେନି କୋଭିଡ୍‌ ଟେଷ୍ଟ

Published By : Prameya-News7 Bureau | April 25, 2021 IST

ନୂଆଦିଲ୍ଲୀ ୨୫/୦୪ : କରୋନା ମହାମାରୀ ବୃଦ୍ଧିକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାର୍ଲାମେଣ୍ଟ ମାର୍ଚ୍ଚ ବାତିଲ ହୋଇଛି । ଏ ନେଇ ଘୋଷଣା କରିଛି ସାମୁଖ୍ୟ କିଷାନ୍‌ ମୋର୍ଚ୍ଚା (SKM) । ​‌ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବ ଯୋଜନା ମୁତାବକ ପାର୍ଲାମେଣ୍ଟ ଘେରାଇ ହେବ ନାହିଁ । ଗତ ଶନିବାର ଚାଷୀନେତାଙ୍କ ଦ୍ବାରା ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଜରୁରୀ ସେବାରେ ନିୟୋଜିତ ଗାଡିଗୁଡିକୁ ଚଳପ୍ରଚଳ ପାଇଁ ଅବରୋଧ ହୋଇଥିବା ରାସ୍ତାଗୁଡିକୁ ମଧ୍ୟ ଖୋଲିଦେଇଛନ୍ତି ଚାଷୀ ।

କିନ୍ତୁ କୋଭିଡ୍‌ ଟେଷ୍ଟ କରାଇବା କିମ୍ବା ଭ୍ୟାକସିନ୍‌ ନେବାକୁ ରୋକ୍‌ଠୋକ୍‌ ମନା କରିଦେଇଛନ୍ତି ଚାଷୀ । ଧାରଣା ସ୍ଥଳରେ ବସିଥିବା ଚାଷୀମାନଙ୍କ ମଧ୍ୟରୁ କେହି ଜଣେ ମଧ୍ୟ କୋଭିଡ୍‌ ଟେଷ୍ଟ କରାଇବେ ନାହିଁ । କରୋନା ଯୋଦ୍ଧାମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଚାଷୀମାନେ କୌଣସି ବାଧା ସୃଷ୍ଟି କରିବେ ନାହିଁ ବୋଲି କୃଷକ ସଂଗଠନ ବିକେୟୁ ସଭାପତି ବଲବୀର ସିଂହ କହିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ମେ ମାସରେ ପାର୍ଲାମେଣ୍ଟ ଘେରାଇ ପାଇଁ ଯୋଜନା କରିଥିଲେ କୃଷକ ସଂଗଠନ । କିନ୍ତୁ ମହାମାରୀର ଉଗ୍ର ରୂପକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି । ତେବେ ସ୍ଥିତି ଦେଖି ଖୁବ ଶୀଘ୍ର ପରବର୍ତ୍ତୀ ତାରିଖ ଘୋଷଣା କରାଯିବ ବୋଲି ଚାଷୀ ନେତା ଯୋଗିନ୍ଦର ସିଂହ କହିଛନ୍ତି ।

ନୂଆ କୃଷି ଆଇନ ବିରୁଦ୍ଧରେ ଦୀର୍ଘ ଦିନ ହେଲା ଚାଷୀମାନେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଚାଷୀଙ୍କ ଜିଦ୍‌ କୃଷି ଆଇନ୍‌ ପ୍ରତ୍ୟାହାର କିନ୍ତୁ ସରକାର ଏଥିପାଇଁ ପ୍ରସ୍ତୁତ ନୁହେଁ । ନୂଆ କୃଷି ଆିନରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ରଖିଥିଲେ ସୁଦ୍ଧା ତାହାକୁ ମାନିବାକୁ ନାରାଜ ଚାଷୀ । ଏହା ପୂର୍ବରୁ ଚାଷୀ ନେତା ଏବଂ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ବରିଷ୍ଠ ସଦସ୍ୟମାନଙ୍କ ମଧ୍ୟରେ ଅନେକ ଥର ବୈଠକ ହୋଇଥି​‌ଲେ ସୁଦ୍ଧା କୌଣସି ନିସ୍କର୍ସ ବାହାରି ପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.