କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତୁଣୀଙ୍କ ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ, ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | January 28, 2022 IST

ବେଙ୍ଗାଲୁରୁ, ୨୮/୦୧: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କ ବ୍ୟକ୍ତିଗତ ଆପାର୍ଟମେଣ୍ଟରୁ ମୃତଦେହ ଉଦ୍ଧାର କରାଯାଇଛି । ସୌନ୍ଦର୍ଯ୍ୟା ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଥିବା ଏକ ଗଣମଧ୍ୟମ ପ୍ରକାଶ କରିଛି । ଫାଶୀରେ ଝୁଲିଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ବର୍ତ୍ତମାନ ବୋରିଙ୍ଗ୍‌ ଆଣ୍ଡ୍‌ ଲେଡି କର୍ଜନ ହସ୍ପିଟାଲ୍‌ରେ ତାଙ୍କର ପୋଷ୍ଟମର୍ଟମ ଜାରି ରହିଛି ।

ସୌନ୍ଦର୍ଯ୍ୟାଙ୍କୁ ୩୦ ବର୍ଷ ହୋଇଥିବା ବେଳେ ସେ ବେଙ୍ଗାଲୁରୁ ଏମ୍‌ଏସ୍‌ ରମୌୟା ହସ୍ପିଟାଲ୍‌ରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ଏହାର ନିକଟରେ ଥିବା ମାଉଣ୍ଟ୍‌ କାର୍ମେଲ୍‌ କଲେଜ୍‌ ପାଖ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ସେ, ତାଙ୍କ ସ୍ୱାମୀ ଏବଂ ଛଅ ମାସର ଶିଶୁ ସହ ରହୁଥିଲେ । ତାଙ୍କ ସ୍ୱାମୀ ମଧ୍ୟ ଜଣେ ଡାକ୍ତର ।

ସୌନ୍ଦର୍ଯ୍ୟା ୟେଦୁରପ୍ପାଙ୍କ ବଡ଼ ଝିଅ ପଦ୍ମାଙ୍କର ଝିଅ । ଯିଏ କି ତାଙ୍କ ପରିବାରରେ ସବୁଠାରୁ ବଡ଼ । ଏହି ଘଟଣାରେ ତାଙ୍କ ପରିବାର ଏବଂ ପ୍ରଦେଶ ବିଜେପିକୁ ଝଟ୍‌କା ଲାଗିଛି ।  ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ତାଙ୍କର କ୍ୟାବିନେଟ୍‌ ସହଯୋଗୀଙ୍କ ସହ ବିଜେପିର ପୁରୁଖା ନେତା ତାଙ୍କୁ ସାନ୍ତ୍ୱନା ହେବା ପାଇଁ ହସ୍ପିଟାଲ୍‌ରେ ପହଞ୍ଚିଥିବା ଜଣାପଡ଼ିଛି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.