ନକଲି ମଶା ! ଲ୍ୟାବରେ ହୋଇଛି ପ୍ରସ୍ତୁତ, ପ୍ରତି ସପ୍ତାହରେ ସହରରେ ଛଡାଯିବ ୧୨ ହଜାର ମଶା

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ, ୦୮।୦୫: ନକଲି ମଶା । ନକଲି ତ ନୁହେଁ କିନ୍ତୁ କୁତ୍ରିମ ଉପାୟରେ ତିଆରି ହୋଇଛି ମଶା । ଏହି ମଶା ଡେଙ୍ଗୁ ଭାଇରସ ଓ ଜିକା ଭାଇରସ ବିରୋଧରେ ଲଢିବ । ବିଲ୍ ଗେଟସଙ୍କ ଫ୍ଲୋରିଡାରେ ଅବସ୍ଥିତ ବାୟୋଟେକ୍ ଫାର୍ମ ଏହି ମଶାକୁ ବିକଶିତ କରିଛି । ଏହାକୁ ଲ୍ୟାବରେ ପ୍ରସ୍ତୁତ କରାଯାଇଛି ।

ଏହି ବାୟୋଟେକ୍ ଫାର୍ମର ନାଁ ହେଉଛି ଅକ୍ସିଟେକ୍ ଟେକନୋଲୋଜି । ଏହି ଫାର୍ମ ୟୁକେ ସହାୟତାରେ ଏପରି କୁତ୍ରିମ ମଶା ପ୍ରସ୍ତୁତ କରିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସପ୍ତାହରେ ପ୍ରାୟ ୧୨ ହଜାର କୁତ୍ରିମ ମଶାଙ୍କୁ ଛଡା ଯିବ । ଏପରି ୧୨ ସପ୍ତାହ ବା ୩ ମାସ ଧରି ଚାଲିବ ।

କମ୍ପାନୀ ଆହୁରି ମଧ୍ୟ କହିଛି ଯେ, ଏହି ପୁରୁଷ ଏଡିସ୍ ଏଇଜେପ୍ଟି ମଶା ଭିନ୍ନ ଲିଙ୍ଗର ମଶାଙ୍କ ସହ ପ୍ରଜନନ କରିବ । ଏପରି ହେବା ଦ୍ୱାରା ଭିନ୍ନ ଲିଙ୍ଗର ମଶା ରୋଗ ସୃଷ୍ଟିକାରୀ ଶକ୍ତି ହରାଇବେ । ଏହାଦ୍ୱାରା ରୋଗ ସୃଷ୍ଟିକାରୀ ମଶାଙ୍କ ଉପରେ ନିୟନ୍ତ୍ରଣ କରାଯାଇ ପାରିବ ।

ଫ୍ଲୋରିଡା ମସ୍କିଟୋ କଣ୍ଟ୍ରୋଲ ଡିଷ୍ଟ୍ରିକ୍ଟର ଅଧିକାରୀ ଆଣ୍ଡ୍ରେୟା ଲିଲ୍‌ଙ୍କ କହିବାନୁସାରେ, ଏହି ପ୍ରକଳ୍ପ ଦ୍ୱାରା ମଶା ଦ୍ୱାରା ବ୍ୟାପୁଥିବା ଘାତକ ରୋଗ ଉପରେ ରୋକ୍ ଲାଗିବ । ଯାହା ସହରବାସୀଙ୍କ ସମେତ ବନ୍ୟ ଜୀବଜନ୍ତଙ୍କୁ ମଧ୍ୟ ସୁରକ୍ଷିତ ରଖିବ । ଫ୍ଲୋରିଡାରେ ଥିବା ମାତ୍ର ୪ ପ୍ରତିଶତ ମଶା ହିଁ ଜୀବନଘାତକ ରୋଗ ବାହକର ମୁଖ୍ୟ କାରଣ ହୋଇଥାନ୍ତି । ଡେଙ୍ଗୁ, ଜିକା ଭଳି ରୋଗ ସୃଷ୍ଟିକାରୀ ଭାଇରସ ଏହି ମଶାଙ୍କ ମାଧ୍ୟମରେ ସଂକ୍ରମିତ ହୋଇଥାଏ ।

ଅକ୍ସିଟେକର କହିବାନୁସାରେ, ଏହି ନୂଆ ପ୍ରଯୁକ୍ତିବିଦ୍ୟା ପ୍ରଜନନ ଯୋଗ୍ୟ ମଶାଙ୍କୁ ନିପାତ କରିବ । ଏହାଦ୍ୱାରା ମଶା ନିୟନ୍ତ୍ରଣ ପାଇଁ ହେଉଥିବା ଖର୍ଚ୍ଚ ୯୦ ପ୍ରତିଶତ ଯାଏଁ ହ୍ରାସ ପାଇବ । ପୂର୍ବରୁ ବ୍ରାଜିଲରେ ମଧ୍ୟ ଏପରି ଜ୍ଞାନ କୌଶଳରେ ରୋଗ ସୃଷ୍ଟିକାରୀ ମଶାଙ୍କ ସଂଖ୍ୟାକୁ ୯୫ ପ୍ରତିଶତ ଯାଏଁ ହ୍ରାସ କରାଯାଇ ପାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.