ମୁନ୍ଦ୍ରାରୁ ବିପୁଳ ମାଦକ ଦ୍ରବ୍ୟ ଜବତ ମାମଲା, ତିନି ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା NIA

Published By : Prameya-News7 Bureau | October 19, 2021 IST

ଅହମଦାବାଦ ୧୯/୧୦ : ଅହମଦାବାଦର ଏକ ସ୍ୱତନ୍ତ୍ର କୋର୍ଟ, ବିପୁଳ ମାଦକ ଦ୍ରବ୍ୟ ଜବତ ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଗୁଜୁରାଟର ମୁନ୍ଧ୍ରା ବନ୍ଦରରୁ ଗତ ମାସରେ ୨୯୮୮ କିଲୋ ହେରୋଇନ୍ ଜବତ ହୋଇଥିଲା । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏବେ ସେମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ।

ସ୍ୱତନ୍ତ୍ର ବିଚାରପତି ପିସି ଯୋସୀଙ୍କ ଖଣ୍ଡପୀଠ, ବିଜୟୱାଡ଼ାର ମେସର୍ସ ଆଶି ଟ୍ରେଡିଙ୍ଗ କମ୍ପାନୀ ଚଳାଉଥିବା ଅଭିଯୁକ୍ତ ଏମ୍‌ ସୁଧାକରମନ୍ ,ଦୁର୍ଗା ବୈଶାଳୀ ଓ ରାଜ କୁମାର ପି ଙ୍କୁ ଏନଆଇଏ ହେଫାଜତକୁ ପଠାଇଛନ୍ତି । ଏନଆଇଏକୁ ମାମଲା ହସ୍ତାନ୍ତର ପୂର୍ବରୁ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଆଇନ ଆଧାରରେ ମଧ୍ୟ ମାମଲା ରୁଜୁ କରାଯାଇଥିଲା ।  

ବିପୁଳ ପରିମାଣର ଚୋରା ମାଦକ ଦ୍ରବ୍ୟ ଚାଲାଣ ତଥା ବିକ୍ରୟ ମାମଲାରେ ପ୍ରଥମେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ରେଭିନ୍ୟୁ ଇଣ୍ଟେଲିଜେନ୍ସ ଏଜେନ୍ସି । ଗିରଫ ହୋଇଥିବା ତିନିଜଣଙ୍କ ବିରୋଧରେ ମାଦକ ଦ୍ରବ୍ୟ ଓ ନିଶା ପଦାର୍ଥ ଅଧିନିୟମ ଅଧୀନରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ଶୁଣାଣି କଚ୍ଛ ଜିଲ୍ଲା ଭୁଜର ଏକ ସ୍ୱତନ୍ତ୍ର ଅଦାଲତରେ କରାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.