ଗଞ୍ଜାମ ଜିଲ୍ଲାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ, ପରେଡ ଅଭିବାଦନ ଗ୍ରହଣ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ

Published By : Prameya-News7 Bureau | January 26, 2022 IST

ଖଲ୍ଲିକୋଟ ୨୬।୧: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ପୋଲିସ ପଡିଆଠାରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ପତାକା ଉତ୍ତୋଳନ କରି ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।  

ଏହି ଅବସରରେ ଜାତି ପାଇଁ ଜୀବନ ଉତ୍ସଗ କରିଥିବା ବରପୁତ୍ର ବୀର ସହିଦମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନେକ ମହାନ ସଂଗ୍ରାମୀ ଓ ଜାତୀୟତାବାଦୀ ଦେଶପ୍ରେମୀ ଏହି ସଂଗ୍ରାମରେ ଝାସ ଦେଇଥିଲେ । ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ବୀର ସୁରେନ୍ଦ୍ର ସାଏ, ରାଜ୍ୟର ପ୍ରଥମ ସହିଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ସହିଦ ଲକ୍ଷ୍ମଣ ନାୟକ, ତାପଙ୍ଗ ଦଳବେହେରା, ରଘୁ ଦିବାକର ପ୍ରମୁଖ ମାତୃଭୂମିର ମୁକ୍ତି ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଛନ୍ତି । 

ଏହି ଅବସରରେ ଜିଲ୍ଲାସ୍ତରୀୟ ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ, କରୋନା ଯୋଦ୍ଧା ଏବଂ ସେବା ଯୋଗାଇଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ।  ଉତ୍ସବରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବିଜ୍ରେଶ କୁମାର ରାଏ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ । କରୋନା ଗାଇଡ୍ ନିୟମ ଅନୁସାରେ ଏହି ଦିବସ ପାଳନ ହୋଇଥିଲା । ସେହିପରି ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନମାନଙ୍କରେ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.