ମନିଷ ସିସୋଦିଆଙ୍କୁ ମିଳୁନି ଆଶ୍ୱସ୍ତି, ହାଇକୋର୍ଟରେ ଟଳିଲା ଜାମିନ ଶୁଣାଣି

Published By : Prameya-News7 Bureau | May 08, 2024 IST

ନୂଆଦିଲ୍ଲୀ ୮।୫: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ବନ୍ଦୀ ଆପ୍ ନେତା ମନିଷ ସିସୋଦିଆଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳି ନାହିଁ। ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ମେ ୧୩କୁ ଶୁଣାଣି ଟାଳି ଦେଇଛନ୍ତି। ସିସୋଦିଆଙ୍କ ଜାମିନ ନିବେଦନ ଉପରେ ବୁଧବାର ହାଇକୋର୍ଟ ଶୁଣାଣି  ହୋଇଥିଲା। ତେବେ ଇଡି ଓ ସିବିଆଇ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଜବାବ ଦାଖଲ ନିମନ୍ତେ ସପ୍ତାହଟେ ସମୟ ମାଗିଥିଲେ। ହେଲେ କୋର୍ଟ ଏଥି ପାଇଁ ୪ ଦିନ ସମୟ ଦେଇଛନ୍ତି। 

ଶୁଣାଣି କାଳରେ ସିସୋଦିଆଙ୍କ ଓକିଲ ବିବେକ ଜୈନ ଇଡି ଓ ସିବିଆଇଙ୍କ ଅତିରିକ୍ତ ସମୟ ଦାବିକୁ ବିରୋଧ କରିଥିଲେ। କହିଥିଲେ ସିସୋଦିଆ ଏବେ ବିଚାରବିଭାଗୀୟ ହାଜତରେ ଅଛନ୍ତି। ଇଡି ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ୬ ମାସରେ ମକଦ୍ଦମା ପୁରା ହୋଇଯିବ। ଏହା ପୂର୍ବରୁ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରୁ ମଙ୍ଗଳବାର ସିସୋଦିଆଙ୍କୁ ଝଟକା ଲାଗିଥିଲା। କୋର୍ଟ ତାଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ମେ ୧୫ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଥିଲେ। 

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ ଉଭୟ ଇଡି ଓ ସିବିଆଇ କରୁଛନ୍ତି। ଏହି ମାମଲାରେ ସିବିଆଇ ଗତବର୍ଷ ଫେବୃଆରୀ ମାସରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏଜେନ୍ସୀ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ମଦ ନୀତି ପ୍ରସ୍ତୁତି ଓ ଲାଗୁ କରାଯିବାରେ ଗଡବଡ କରାଯାଇଛି। ଏହି ମାମଲାରେ ଇଡି ଗତ ଦିନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ଗିରଫ କରିଛି। କେଜରିୱାଲ ଏହି ଗିରଫକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.