ଦୁବାଇ ୩୧।୧୦: ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଶାଣିତ ବୋଲିଂର ମୁକାବିଲା କରିନପାରି ଦିଲ୍ଲୀ କ୍ୟାପିଟାଲ୍ସ ନିଜ ପାଇଁ ଥିବା ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୧୧ ରନର ମାମୁଲି ବିଜୟ ଲକ୍ଷ୍ୟ ଦେଇଛି। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୧୦ ରନ କରିଛି। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ୨୫ ରନ କରିଛନ୍ତି। ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ହାରିଲେ ଦିଲ୍ଲୀ ପାଇଁ ପ୍ଲେଅଫ୍ରେ ପ୍ରବେଶ କରିବା ମୁସ୍କିଲ ହୋଇଯିବ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ୧ ରନ ସ୍କୋରରେ ଶିଖର ଧାଓ୍ଵନ(୦ ରନ)ଙ୍କୁ ଆଉଟ୍ କରି ଟ୍ରେଣ୍ଟ ବୋଲ୍ଡ ଦିଲ୍ଲୀକୁ ପ୍ରଥମ ଝଟକା ଦେଇଥିଲେ। ୧୫ ରନ ସ୍କୋରରେ ପୃଥ୍ଵୀ ସ(୧୦ ରନ) ବୋଲ୍ଟଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଏହା ପରେ ଅଧିନାୟକ ଶ୍ରେୟସ ଆୟର ଓ ଋଷଭ ପନ୍ତ କିଛି ସମୟ କ୍ରିଜରେ ରହି ଦଳର ସ୍ଥିତିକୁ ସଜାଡିବାକୁ ଉଦ୍ୟମ କରିଥିଲେ। ଶ୍ରେୟସ ଆୟରଙ୍କୁ ଆଉଟ୍ କରି ରାହୁଲ ଚହର ଦିଲ୍ଲୀକୁ ବହୁତ ବଡ ଝଟକା ଦେଇଥିଲେ। ଶ୍ରେୟସ ୨୫ ରନ କରି ପାଭିଲିୟନ ଫେରିଥିଲେ। ସେ ପନ୍ତଙ୍କ ସହ ତୃତୀୟ ଓ୍ଵିକେଟ୍ରେ ୩୫ ରନ ଯୋଡିଥିଲେ।
{"id":353879,"sizeSlug":"large"}ଏହା ପରେ ଆଉ କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ। ଫର୍ମରେ ଥିବା ମାର୍କସ ଷ୍ଟୋଇନିସ(୨ ରନ), ଋଷଭ ପନ୍ତ(୨୧ ରନ) ଓ ହର୍ଷଲ ପଟେଲ(୫ ରନ)ଙ୍କୁ ବୁମରା ଆଉଟ୍ କରି ଦିଲ୍ଲୀର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ପନ୍ତ ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ସିମରନ ହେଟମୟାର(୧୧ ରନ) କୁଲଟରଙ୍କ ବଲରେ ଆଉଟ୍ ହୋଇଥିଲେ। ଶେଷ ଆଡକୁ ରବିଚନ୍ଦ୍ରନ ଅଶ୍ଵିନ ୧୨ ଓ କାଗିସୋ ରାବଡା ୧୨ ରନ କରିଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୧୦ ରନ କରିବାକୁ ସକ୍ଷମ ହୋଇଛି।
ମୁମ୍ବାଇ ତରଫରୁ ବୁମରା ୧୭ ରନ ଦେଇ ୩ ଓ୍ଵିକେଟ୍ ଏବଂ ଟ୍ରେଣ୍ଟ ବୋଲ୍ଟ ୨୧ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ନାଥନ କୁଲଟର ନାଇଲ ଓ ରାହୁଲ ଚହର ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।