ବିଜେଡିରେ ଥିଲେ, ବିଜେପିକୁ ଗଲେ... ଆଉ ଏବେ 'ପଦ୍ମ' ଛାଡି କଂଗ୍ରେସ ଶିବିରରେ ଦେବାଶିଷ

Published By : Prameya-News7 Bureau | May 04, 2024 IST

ଭୁବନେଶ୍ୱର ୦୪।୦୫ : ବିଜେଡି ଛାଡି ବିଜେପି ଗଲେ, ଆଉ ଏବେ ବିଜେପି ଛାଡି କଂଗ୍ରେସରେ ହେଲେ ସାମିଲ । ଶନିବାର ଦିନ କଂଗ୍ରେସରେ ସାମିଲ ହୋଇଛନ୍ତି ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ । କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ଦେବାଶିଷ । 

ଖବର ଅନୁଯାୟୀ, ବରୀର ପୂର୍ବତନ ବିଧାୟକ ଥିଲେ ଦେବାଶିଷ ନାୟକ । ବିଜେଡିର ଜଣେ ପୁରୁଖା ନେତା ଭାବେ ବେଶ୍‌ ଜଣାଶୁଣା ଥିଲେ ଦେବାଶିଷ ନାୟକ । ହେଲେ କିଛି ଦିନ ତଳେ ହଠାତ୍‌ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ଦେବାଶିଷ । ଏହାପରେ ବିଜେପିରେ ହୋଇଥିଲେ ସାମିଲ । ହେଲେ ଚଳିତ ନିର୍ବାଚନରେ ବିଜେପି ଦଳ ପକ୍ଷରୁ କୌଣସି ଟିକେଟ୍‌ ନମିଳିବାରୁ ଦେବାଶିଷ ଅସନ୍ତୁଷ୍ଟ ଥିଲେ । ଯାହାର ପରିଣତି ଏପରି ହେଲା କି, ଏବେ ବିଜେପି ମଧ୍ୟ ଛାଡିଛନ୍ତି ଦେବାଶିଷ । ଆଉ ଏବେ କଂଗ୍ରେସରେ ହୋଇଛନ୍ତି ସାମିଲ । ରାଜ୍ୟ କଂଗ୍ରେସ  କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ହୋଇଛନ୍ତି ସାମିଲ । ତେବେ ଦେବାଶିଷଙ୍କ କଂଗ୍ରେସ ନିଜ ଦଳରେ ସାମିଲ କରିବା ପଛର କାରଣ କଣ ? କାହିଁକି ନା ଦଳ ପୂର୍ବରୁ ବରୀ ଆସନ ଲାଗି ବିଧାୟକ ପ୍ରାର୍ଥୀ ଘୋଷଣା କରିସାରିଛି । ଏବେ ସେହି ଆସନରୁ ପ୍ରାର୍ଥୀ ବଦଳାଇବ କି କଂଗ୍ରେସ ? ତାହା ଦେଖିବାକୁ ବାକି ରହିଲା...

ସୂଚନାଯୋଗ୍ୟ ଯେ, ୨୦୦୯ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ ବରୀ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଦେବାଶିଷ ନାୟକ । ଏହାସହିତ ନବୀନ ସରକାରରେ ମଧ୍ୟ ମନ୍ତ୍ରୀ ପଦ ସମ୍ଭାଳିଥିଲେ ଦେବାଶିଷ ନାୟକ । ହେଲେ ୨୦୧୯ରେ ଦେବାଶିଷଙ୍କୁ ଦଳ ଟିକେଟ ଦେଇନଥିଲା । ତାଙ୍କ ବଦଳରେ ସୁନନ୍ଦା ଦାସଙ୍କୁ ବିଧାୟକ ଟିକେଟ୍‌ ଦେଇଥିଲେ ବିଜୁ ଜନତା ଦଳ । ଯାହାର ପରିଣତି ହେଲା କି ୨୦୧୯ ବିଧାନସଭା ନିର୍ବାଚନରେ ସୁନନ୍ଦା ବିଜୟୀ ହୋଇଥିଲେ । ଆଉ ଏବେ ୨୦୨୪ରେ ବିଜେଡି ପୁଣି ବରୀ ଆସନରୁ ପ୍ରାର୍ଥୀ ବଦଳାଇଛି । ସୁନନ୍ଦା ଦାସଙ୍କ ବଦଳରେ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଦଳ ବିଧାୟକ ଟିକେଟ୍‌ ଦେଇଛି । 

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.