ମୁମ୍ଵାଇରେ ପ୍ରବେଶ କରିବା ମାତ୍ରେ ଦୁର୍ବଳ ହେଲା ବାତ୍ୟା ନିସର୍ଗ, ଟଳିଲା ବଡ ବିପଦ, ବର୍ଷା ଜାରି

Published By : Prameya-News7 Bureau | June 03, 2020 IST

ମୁମ୍ବାଇ ୦୩।୦୬: ଆରବସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ବାତ୍ୟା ନିସର୍ଗ ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଇଲାକାରେ ସ୍ଥଳଭାଗ ଛୁଇଁ ସାରିଛି। ମୁମ୍ବାଇରେ ନିସର୍ଗ ଅଲିବାଗ ତଟବର୍ତ୍ତୀ ଅଞ୍ଚଳ ଦେଇ ସ୍ଥଳ ଭାଗରେ ପ୍ରବେଶ କରିଛି। ଏହି ସମୟରେ ପବନର ବେଗ ୧୩୦ ରୁ ୧୫୦ କିମି ରହିଥିବା କୁହାଯାଉଛି। କିନ୍ତୁ ବାତ୍ୟା ନିସର୍ଗ  ମୁମ୍ଵାଇରେ ପ୍ରବେଶ କରିବା ମାତ୍ରେ ଦୁର୍ବଳ ହୋଇଯାଇଛି। ଫଳରେ ରାଜ୍ୟ ପାଇଁ ବିପଦ ଟଳି ଯାଇଛି। ଅନ୍ୟପଟେ ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ଦ୍ରୁତ ବେଗରେ ପବନ ବହିବା ସହିତ ବର୍ଷା ଜାରି ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମହାରାଷ୍ଟ୍ରର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବର୍ଷା ହେବା ସହ ପବନର ବେଗ ଘଣ୍ଟା ପ୍ରତି ୫୦ କିମି ରହିଛି।

ମହାରାଷ୍ଟ୍ରରେ ଜୋରରେ ପବନ ଓ ବର୍ଷା କାରଣରୁ ଅନେକ ଜାଗାରେ ଗଛ ଭାଙ୍ଗି ପଡିଛି। ଅନେକ ଚାଳ ଛପର ଘର ଭୁଶୁଡି ପଡିଛି। ଅନେକ ଜାଗାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡିଛି। ସ୍ଥିତିର ମୁକାବିଲା ଲାଗି ଏନଡିଆରଏଫ ଟିମ୍‌କୁ ମୁତୟନ କରାଯାଇଛି। ମୁମ୍ବାଇ, ଠାଣେ, ରାୟଗଡ, ରତ୍ନଗିରିରେ ଜୋରରେ ପବନ ବହିବା ସହିତ ପ୍ରବଳ ବର୍ଷା ଲାଗି ରହିଛି। ମୁମ୍ବାଇ ବିମାନ ବନ୍ଦରରେ ସନ୍ଧ୍ୟା ୭ଟା ସୁଦ୍ଧା ଯାତାୟାତ ଉପରେ ରୋକ୍‌ ଲଗାଯାଇଛି।

ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୨୦ ଟିମ୍ ନିୟୋଜିତ ଅଛନ୍ତି। ଏଥିରେ ମୁମ୍ବାଇରେ ୮ଟି ଟିମ୍, ରାୟଗଢରେ ୫, ପାଲଘରରେ ୨, ଥାନେରେ ୨, ରତ୍ନଗିରିରେ ୨ ଓ ସିନ୍ଧୁଦୁର୍ଗରେ ୧ ଟିମ୍‌  ମୁତୟନ ଅଛନ୍ତି। ଅନ୍ୟପଟେ କିଛି ଟିମ୍‌କୁ ଷ୍ଟାଣ୍ଡବାଇରେ ରଖାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ   ବାତ୍ୟା ସ୍ଥଳଭାଗ ଛୁଇଁବା ସମୁୟରେ ପବନର ବେଗ ପ୍ରାୟ ୧୫୦ କିମି ରହିଥିଲା। ଏହାରି ପ୍ରଭାବରେ ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ଜୋରରେ ପବନ ବୋହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.