କରୋନା ପାଇଁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ ! ୪୯ ହଜାର ଛାତ୍ରଛାତ୍ରୀ ଅଧାରୁ ଛାଡିଛନ୍ତି ପାଠ

Published By : Prameya-News7 Bureau | December 09, 2021 IST

ଭୁବନେଶ୍ୱର, ୦୯|୧୨: ପିଲାଙ୍କ ଉପରେ ଓମିକ୍ରନ୍ କେତେ ପ୍ରଭାବ ପକାଇବ ଏହାକୁ ନେଇ ଏବେ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଏମିତିକି ଆଗୁଆ ପ୍ରସ୍ତୁତିର ତତ୍ପରତା ଦେଖାଦେଇଛି। ହେଲେ ଏହି କୋଭିଡ ପାଇଁ କେତେ ପିଲାଙ୍କ ପାଠପଢ଼ା ଉଜୁଡ଼ିଗଲାଣି ଏହାର ହିସାବ ଶୁଣିଲେ ଆପଣ କାନରେ ହାତ ଦେବେ। ରାଜ୍ୟର ଅଧା ପିଲା ପାଠ ଛାଡୁଛନ୍ତି। ମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ଗତବର୍ଷ ୪୯ ହଜାର ୯୮ ଜଣ ଛାତ୍ରଛାତ୍ରୀ ସ୍କୁଲ ଡ୍ରପ୍ ଆଉଟ୍ ହୋଇଛନ୍ତି।

କୋଭିଡ ପାଇଁ ସ୍କୁଲ ବନ୍ଦ। ସ୍କୁଲ ନଯାଇ ପାଠରେ ଡୋରି ବନ୍ଧା ହେଲାଣି। ରାଜ୍ୟରେ ଅଧାରୁ ପାଠ ଛାଡିଛନ୍ତି ବହୁ ସଂଖ୍ୟାର ସ୍କୁଲପିଲା । ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ବି ଏହା ହିସାବ ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ଗତବର୍ଷ ୪୯ ହଜାର ୯୮ ଜଣ ଛାତ୍ରଛାତ୍ରୀ ଗତବର୍ଷ ସ୍କୁଲ ଡ୍ରପଆଉଟ ହୋଇଛନ୍ତି । ଯେଉଂଥିରେ ଅନୁସୂଚିତ ଜାତିର ୧୧ ହଜାର ୪୫ ଓ ଅନୁସୂଚିତ ଜନଜାତିର ୧୫ ହଜାର ୭୯୨ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି । ସବୁଠୁ ଅଧିକ ପିଲା ଡ୍ରପଆଉଟ ହୋଇଛନ୍ତି କଳାହାଣ୍ଡି ଜିଲ୍ଲାରେ । ସେଠି ୬ ହଜାର ୭୩୧ ପିଲା ସ୍କୁଲ ଛାଡିଛନ୍ତି । ତାପଛକୁ ଅଛି କୋରାପୁଟ ଓ ସୁନ୍ଦର ଗଡ଼ ଜିଲ୍ଲା । କୋରାପୁଟର ୩ ହଜାର ୫୮୭ ପିଲା ଅଧାରୁ ପାଠ ଛାଡିଥିବା ବେଳେ ସୁନ୍ଦରଗଡରୁ ୩ ହଜାର ୪୨୬ ପିଲା ପାଠକୁ ବିଦାୟି ଦେଇଛନ୍ତି। ତେବେ ମନ୍ତ୍ରୀଙ୍କ ରିପୋର୍ଟ ଅନୁସୂରେ ମୟୁରଭଞ୍ଜ ଜିଲ୍ଲାରେ ସବୁଠାରୁ କମ୍ ୧୩ ଜଣ ପାଠ ଛାଡ଼ିଛନ୍ତି। କୋଭିଡ ସମୟରେ ଏତେ ସଂଖ୍ୟାରେ ପିଲା ପାଠ ଛାଡ଼ିବା ଚିନ୍ତାଜନକ ରହିଛି।

ସେହିଭଳି ରାଜ୍ୟରେ ୭୧ ପ୍ରତିଶତ ପିଲାଙ୍କ ପାଖରେ ନାହିଁ ସ୍ମାର୍ଟ ଫୋନ୍ । ଏ ତଥ୍ୟ ବି ବି ବିଧାନ ସଭାରେ ରଖିଛନ୍ତି ମନ୍ତ୍ରୀ । କୋଭିଡ ବେଳେ ଅନଲାଇନ ପାଠ ପଢା ଚାଲୁଥିବା ବେଳେ ୭୧ ପ୍ରତିଶତ ପିଲାଙ୍କ ପାଖରେ ମୋବାଇଲ ନଥିବା ତଥ୍ୟ ଓଡିଶାରେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ଉପରୁ ପରଦା ହଟାଇଛି । ଖୋର୍ଦ୍ଧାରେ ସର୍ବାଧିକ ୪୫.୮୦ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଥିବା ବେଳେ କନ୍ଧମାଳରେ ସବୁଠୁ କମ୍ ୧୩.୩୮ ପ୍ରତିଶତ ପିଲାଙ୍କ ପାଖରେ ଫୋନ ରହିଛି । ୨୦୨୦ ସେପ୍ଟେମ୍ବରରେ କରାଯାଇଥିବା ଏକ ସର୍ଭେରୁ ଏହା ଜଣାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.