ଜମି ଦଲାଲ କଂଗ୍ରେସ ନେତାଙ୍କୁ ଉଠାଇନେଲା ପୋଲିସ, ଥାନାରେ ଅଟକ

Published By : Prameya-News7 Bureau | December 06, 2020 IST

ଭୁବନେଶ୍ୱର, ୦୬।୧୨:    ରାଜଧାନୀରେ ଜମି ଦେବାକୁ କହି ଠକେଇ । ୨୦୧୦ରୁ ଜମି ଦେବା ନାଁରେ ଟଙ୍କା ନେଇଥିଲେ ମଧ୍ୟ ଦେଉନଥିଲେ ଜମି । ଏପରିକି ଜମି କାଗଜପତ୍ରରେ ଜାଲିଆତି କରିଥିଲେ । ଏହି ଘଟଣାରେ ପୋଲିସ ଜଣେ କଂଗ୍ରେସ ନେତାଙ୍କୁ ଅଟକ ରଖିଛି ।   ପୋଲିସ ତାଙ୍କୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରୁ ଧରିଛି ।

ସୂଚନାନୁସାରେ, ଜୟକୃଷ୍ଣ ପଟ୍ଟନାୟକ ଓରଫ ଜୟ ପଟ୍ଟନାୟକ ନାମରେ ପୁରୀ ଜିଲ୍ଲାର ଜଣେ କଂଗ୍ରେସ ନେତା ୨୦୧୦ରେ ଶିଳ୍ପପତି ଅମୀୟ ଦାସଙ୍କୁ ଜମି ଦେବେ ବୋଲି କହିଥିଲେ ।  ଜୟକୃଷ୍ଣ ଓ ତାଙ୍କର ୨ ସହଯୋଗୀ ଅମୀୟ ଦାସଙ୍କଠୁ ୮୨ ଲକ୍ଷ ଟଙ୍କା ନେଇଥିଲେ । ଭୁବନେଶ୍ୱର ପାତ୍ରପଡାରେ ସେମାନେ ଜମି ଦେବାକୁ କହିଥିଲେ । କିନ୍ତୁ ଜମି ଦେବାରେ ଜାଲିଆତି କରିଥିଲେ । ଏନେଇ ପ୍ରଥମେ ଇଓଡବ୍ଲୁରେ ମାମଲା ହୋଇଥିଲା । ୨୦୧୯ରେ ଅମୀୟ ଦାସ ପୋଲିସରେ ଏନେଇ ଅଭିଯୋଗ କରିଥିଲେ । ପୂର୍ବରୁ ଇଓଡବ୍ଲୁରେ ମଧ୍ୟ ମାମଲା ହୋଇଥିଲା । ଜୟକୃଷ୍ଣ କିନ୍ତୁ ପୋଲିସ କିମ୍ବା ଇଓଡବ୍ଲୁକୁ ଧରାଛୁଆଁ ଦେଉନଥିଲେ । ତେବେ ତାଙ୍କର ୨ ସହଯୋଗୀଙ୍କୁ ପୋଲିସ ଧରିବା ପରେ ସେମାନେ ୪୦ ଲକ୍ଷ ଟଙ୍କା ଫେରାଇଥିଲେ । ହେଲେ ଜୟକୃଷ୍ଣ ବାରମ୍ବାର ଖସି ଯାଉଥିଲେ । ଏପରିକି ଓଲଟା ଧମକଚମକ ଦେଉଥିଲେ ।

ରବିବାର ଜୟକୃଷ୍ଣ ଭୁବନେଶ୍ୱରରେ ଜଣେ ଜାତୀୟ ଦଳର କେନ୍ଦ୍ରୀୟ ନେତାଙ୍କୁ ଦେଖା କରିବାକୁ ଆସିବା ବେଳେ ପୋଲିସ ତାଙ୍କୁ ଧରିଥିଲା । ଅଟକ ଥିବା ଜୟକୃଷ୍ଣ ପୁରୀ ବିଧାନସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ମଧ୍ୟ ଆଶା ରଖିଥିଲେ। ପୋଲିସ ତାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.