ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇର ଅର୍ଥଶାସ୍ତ୍ରୀ ସୌମ୍ୟକାନ୍ତି ଘୋଷ ଲୋକସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟର କମ ମତଦାନ ସହ ଜଡିତ ଚିନ୍ତାକୁ 'ମିଥ୍' ବୋଲି କହିଛନ୍ତି । ସେ କହିଛନ୍ତି ଯେ ପଡ଼ିଥିବା ଭୋଟର ମୋଟ ସଂଖ୍ୟା ସହ ତୁଳନା କରିବା ମତଦାନ ବିଶ୍ଲେଷଣର ଉନ୍ନତ ମାଧ୍ୟମ ଅଟେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଅର୍ଥଶାସ୍ତ୍ରୀ ଘୋଷ କହିଛନ୍ତି ଯେ ପ୍ରକୃତରେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ହୋଇଥିବା ଭୋଟର ମୋଟ ସଂଖ୍ୟାରେ ୦.୪ ପ୍ରତିଶତ ବୃଦ୍ଧି ହୋଇଛି ।
ଘୋଷ ଏକ ରିପୋର୍ଟରେ କହିଛନ୍ତି, 'ଚଳିତ ବର୍ଷ ହେଉଥିବା ସାଧାରଣ ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟରେ କଥିତ ରୂପେ କମ ମତଦାନ ଉପରେ ପ୍ରଚାରିତ ଅନ୍ତହୀନ ଯୁକ୍ତ ଏକ ମିଛ । ପଡିଥିବା ଭୋଟକୁ ମାପିବାର ଏକ ଉନ୍ନତ ମାଧ୍ୟମ ହେଉଛି ମତଦାତାଙ୍କ ମୋଟ ସଂଖ୍ୟା ।'
୧୬ତମ ଅର୍ଥ କମିଶନର ସଦସ୍ୟ ଘୋଷ କହିଛନ୍ତି ଯେ ମତଦାନ ୨୦୧୯ର ସାଧାରଣ ନିର୍ବାଚନ ତୁଳନାରେ ୩.୧ ପ୍ରତିଶତ କମ ଅଟେ । ତେବେ ସେ କହିଛନ୍ତି ଯେ ନିର୍ବାଚନର ବଳକା ପର୍ଯ୍ୟାୟରେ ସଂଖ୍ୟା ବଢିପାରେ ଏବଂ ଏଥିରେ 'J' ଆକାର ଅର୍ଥାତ୍ ସ୍ଥିର ରୂପରେ ବୃଦ୍ଧି ହେବ ।
ରିପୋର୍ଟ ଅନୁସାରେ ୨୦୧୯ରେ ମତଦାନ ଓଲଟା ଭାବେ ସାତ ପର୍ଯ୍ୟାୟରେ ହ୍ରାସ ଦେଖିବାକୁ ମିଳିଥିଲା । ଆର୍ଥତ୍ ଆରମ୍ଭରେ ୬୯.୪ ପ୍ରତିଶତ ରହିଥିଲା ଏବଂ ଶେଷରେ ୬୧.୭ ପ୍ରତିଶତକୁ ଆସିଥିଲା । ଆମ ଅନୁମାନ ୨୦୨୪ରେ ସ୍ଥିତି ଭିନ୍ନ ହୋଇପାରେ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ମତଦାନର ପୂରା ସଂଖ୍ୟାକୁ ଦେଖିଲେ ମତଦାନ ପ୍ରତିଶତରେ ଉଲ୍ଲେଖନୀୟ ସୁଧାର ହୋଇପାରେ ।
ଏସବିଆଇର ରିପୋର୍ଟ ଅନୁସାରେ ୨୦୨୪ରେ କର୍ଣ୍ଣାଟକରେ ମତଦାତାଙ୍କ ସଂଖ୍ୟାରେ ସବୁଠୁ ଅଧିକ ବୃଦ୍ଧି ହେବ । ଏହାପରେ ଆସାମ ଏବଂ ମହାରାଷ୍ଟ୍ର ରହିବେ । ନିର୍ବାଚନ କ୍ଷେତ୍ରର ବିସ୍ତୃତ ବିଶ୍ଲେଷଣରୁ ଜଣାପଡ଼ୁଛି ଯେ ୮୫ ନିର୍ବାଚିତ କ୍ଷେତ୍ରରେ ହୋଇଥିବା ଭୋଟର ମୋଟ ସଂଖ୍ୟାରେ ଏକ ଲକ୍ଷରୁ ଅଧିକ ବୃଦ୍ଧି ହୋଇଛି । ଅନ୍ୟପଟେ ୨୫ ନିର୍ବାଚନ କ୍ଷେତ୍ରରେ ଯଥାସ୍ଥିତି ରହିଛି । ଏହିପରି ୬୦ ପ୍ରତିଶତ ନିର୍ବାଚନ କ୍ଷେତ୍ରରେ ମତଦାନ ବଢିଛି କିମ୍ୱା କୌଣସି ଉଲ୍ଲେଖନୀୟ ବ୍ୟବଧାନ ନାହିଁ ।