ନୟାଗଡ଼ରେ ନବୀନ ଓ ପାଣ୍ଡିଆନ୍‌ଙ୍କ ମାରାଥନ୍ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ

Published By : Prameya-News7 Bureau | May 22, 2024 IST

ନୟାଗଡ ୨୨।୫: ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର । ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବି.ଏସ୍‍.କେ.ୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍‍ସନ୍‍, ଚାଉଳ କାର୍ଡ ଇତ୍ୟାଦି ଜନ କଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଲୋକଙ୍କୁ ପଚାରିଲେ ନବୀନ । 

ଜୁଲାଇରୁ ବିଜୁ ଜନତା ଦଳ ମାଗଣା ବିଜୁଳି ଦେବେ, ବିଜୁଳି ବିଲ୍‍ ଆସିବ ନାହିଁ, ଆପଣମାନେ ଖୁସି ତ ବୋଲି ପ୍ରଶ୍ନ କଲେ ନବୀନ । ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ କାମ ଓ ମା’ସମଲେଇଙ୍କ ପ୍ରକଳ୍ପ କାମ ଭଲ ହୋଇଛି ତ ଏଭଳି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ।

ସେହିଭଳି ଏହି ଜନସଭାରେ ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ୍ କହିଛନ୍ତି, ନୟାଗଡ଼ ପାଇଁ ବିପୁଳ ପୁଞ୍ଜିନିବେଶ ଯୋଜନା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ରେଳଲାଇନ ହୋଇଗଲା ବର୍ତ୍ତମାନ ନୟାଗଡ଼ ଶିଳ୍ପସମୃଦ୍ଧ ହେବ, ଯୁବପିଢ଼ି ରୋଜଗାର ପାଇବେ, ସଶକ୍ତ ହେବେ । 

ମୁଖ୍ୟମନ୍ତ୍ରୀ ୨୦୨୪ ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ ବହୁତ କିଛି ଯୋଜନା କରିଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ କିଛି କରିନାହାନ୍ତି । ଆପଣମାନଙ୍କୁ ନେଇ ନୂଆ ଓଡ଼ିଶା ଗଠନ ଲକ୍ଷ୍ୟରେ ଏହା କରାଯାଇଛି । ସମସ୍ତ ମଧ୍ୟବିତ୍ତ ବର୍ଗଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ କରାଯିବ । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଂ ଲୋନ ପାଇଁ ସୁଧ ହାର କମ୍‍ ରହିବ । ଶିକ୍ଷା ଋଣରେ ମଧ୍ୟ ସୁଧ ହାର କମ୍‍ ରହିବ । ନୂଆ-ଓ ସ୍କଲାରସିପ୍‍ ଜରିଆରେ କଲେଜ ପୁଅମାନଙ୍କ ପାଇଁ ୧୨ ହଜାର ଓ ଝିଅମାନଙ୍କ ପାଇଁ ୧୪ ହଜାର ଟଙ୍କାର ବ୍ୟବସ୍ଥା । ଏଭଳି ପଦକ୍ଷେପ କୌଣସି ରାଜ୍ୟ ନେଇନାହାନ୍ତି, ଏହା କେବଳ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ କରିଛନ୍ତି । କଣ୍ଟିଲୋ ନୀଳମାଧବ ମନ୍ଦିର ରୂପାନ୍ତରଣ, ଜଳସେଚନ ପାଇଁ କୁସୁମୀ ଓ ବୃତଙ୍ଗ ଜଳସେଚନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନୟାଗଡ଼ ପାଇଁ କରିଛନ୍ତି । 

ସାରା ଓଡ଼ିଶା କହୁଛି ମୁଖ୍ୟମନ୍ତ୍ରୀ ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍‍ ଛାଡ଼ ହେବ । ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ । ତୃତୀୟ ଦସ୍ତଖତରେ ମିଶନଶକ୍ତି ସଦସ୍ୟାମାନଙ୍କୁ ୬୦ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା । କାଳିଆ, 5T ସ୍କୁଲ ରୂପାନ୍ତରଣ, ମଧୁବାବୁ ପେନ୍‍ସନ୍‍ ଯୋଜନାରେ ୧୦୦୦ ଟଙ୍କା ଭତ୍ତା, ବି.ଏସ୍‍.କେ.ୱାଇ., ଲକ୍ଷ୍ମୀ ବସ୍‌ରେ ମା’ମାନଙ୍କ ପାଇଁ ୫ ଟଙ୍କା କିଏ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ଜନତାଙ୍କୁ, ସବୁର ଉତ୍ତର ଉଚ୍ଚସ୍ୱରରେ ଥିଲା ନବୀନ ପଟ୍ଟନାୟକ । 

୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କଲେ । ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ, ବିରୋଧି ଦଳ କେବେହେଲେ ବିକାଶ ଚାହାନ୍ତି ନାହିଁ, କାମ କରିବାକୁ ଦେବେ ନାହିଁ । 

You Can Read :

ଛେଣ୍ଡିପଦାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର, ‘ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଖୋଲିବ’

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.