ବିକ୍ରିର ଚାପରେ ସେୟାର ମାର୍କେଟ୍ ଧରାଶାୟୀ, ନିବେଶକଙ୍କ କ୍ଷତି ୨.୨୫ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | May 03, 2024 IST

ନୂଆଦିଲ୍ଲୀ: ଲାଭ ହାସଲ ଏବଂ ଚାପର ବିକ୍ରି ଯୋଗୁଁ ଭାରତୀୟ ସେୟାର ବଜାର ମେ ୩ ଶୁକ୍ରବାରର ବଡ଼ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସରେ ୭୩୩ ଅଙ୍କ କମିଥିବା ବେଳେ ନିଫ୍ଟି ୨୨,୫୦୦ ତଳକୁ ଖସି ଆସିଛି । ଆଜିର ଏହି ହ୍ରାସରେ ସେୟାର ବଜାର ନିବେଶକଙ୍କ ସମ୍ପତ୍ତି ପ୍ରାୟ ୨.୨୫ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ବଜାର ଆଜି ଖୋଲିବା ବେଳେ ସବୁଜ ସଂକେତରେ କାରବାର କରିବା ସହ ନିଜର ଅଲଟାଇମ୍ ହାଇ ଛୁଇଁଥିଲା । କିନ୍ତୁ ପରେ ବଜାର ନିଜ ବୃଦ୍ଧିକୁ ବଜାୟ ରଖିପାରି ନଥିଲା । ବିଏସଇ ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ଇଣ୍ଡେକ୍ସ ଯଥାକ୍ରମେ ୦.୨୧ ଏବଂ ୦.୫୫ ପ୍ରତିଶତ ହ୍ରାସ ହୋଇ ବନ୍ଦ ହୋଇଛି । ମେଟାଲ ଏବଂ ଫାର୍ମାକୁ ଛାଡ଼ି ଅନ୍ୟ ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି ।

କାରବାର ଶେଷରେ ବିଏସଇ ସେନସେକ୍ସ ୭୩୨.୯୬ ଅଙ୍କ ବା ୦.୯୮ ପ୍ରତିଶତ କମି ୭୩,୮୭୮.୧୫ ଅଙ୍କ ସ୍ତରରେ ବନ୍ଦ ହୋଇଛି । ସେହିପରି ଏନଏସଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୧୭୨.୩୫ ଅଙ୍କ ବା ୦.୭୬ ପ୍ରତିଶତ କମି ୨୨,୪୭୫.୮୫ ସ୍ତରରେ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଙ୍କ ମୋଟ୍ ବଜାର ପୁଞ୍ଜି ଆଜି କମି ୪୦୬.୨୪ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କରାବାର ଦିନ ଅର୍ଥାତ୍ ଗୁରୁବାର ମେ ୨ରେ ୪୦୮.୪୯ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ଲିଷ୍ଟେଡ୍ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ୨.୨୫ ଲକ୍ଷ କୋଟି ଟଙ୍କା କମ ହୋଇଛି । ସରଳ ଶବ୍ଦରେ କହିବାକୁ ଗଲେ ଆଜି ନିବେଶକଙ୍କୁ ୨.୨୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.