ଓଡ଼ିଆ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସିନେ କ୍ରିଟିକ୍ ସୋ ଆୟୋଜିତ; ୫ ଷ୍ଟାର ମାନ୍ୟତା ଦେଲେ ସିନେ ସମାଲୋଚକ

Published By : Prameya-News7 Bureau | May 23, 2022 IST

ଭୁବନେଶ୍ୱର ୨୩/୦୫ : ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଓଡିଆ ଚଳଚ୍ଚିତ୍ର ଦୃଷ୍ଟିକୋଣର ଏକ ପ୍ରେସ ସୋ ସ୍ଥାନୀୟ ସ୍ୟାଣ୍ଡି ଟାୱାର ଠାରେ ଆୟୋଜିତ ହୋଇଛି। ସିନେ କ୍ରିଟିକ, ସିନେ ପ୍ରେମୀ, ସାମ୍ବାଦିକଙ୍କ ଗହଣରେ ଏହି ସୋ ଅନୁଷ୍ଠିତ ହୋଇଛି। ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ବିବାଦୀୟ ଓ ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ବିପ୍ଳବ ଆଣିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକ ।

ଏହି ଚଳଚ୍ଚିତ୍ର ନିଶ୍ଚିତ ଓଡିଆ ଦର୍ଶକମାନଙ୍କ ମଧ୍ୟରେ ବିପ୍ଳବ ସୃଷ୍ଟି କରିବା ସହ ସେମାନଙ୍କୁ ପ୍ରେକ୍ଷାଳୟ ମୁହାଁ କରିବ ବୋଲି ପ୍ରଯାଜନା ସଂସ୍ଥା ଦୃଢ଼ ଆଶାବାଦୀ ରହିଛି । ସିନେମା ଦେଖିବା ପରେ ସିନେ କ୍ରିଟିକମାନେ ଚଳଚ୍ଚିତ୍ରକୁ ଫାଇଭ୍ ଷ୍ଟାର ମାନ୍ୟତା ଦେବା ସହ ସବୁ କ୍ଷେତ୍ରରେ ସିନେମାଟି ଉନ୍ନତ ମାନର ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି । ସିନେ ସମୀକ୍ଷକ ମାନେ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ, ନିର୍ଦ୍ଦେଶନାକୁ ବହୁତ ପ୍ରଶଂସା କରିବା ସହ ଏଥିରେ ପ୍ରଥମ ଥର ପାଇଁ ଅଭିନୟ କରୁଥିବା ଲିଜା ନାୟକଙ୍କ ଅଭିନୟରେ ମନ୍ତ୍ର ମୁଗ୍ଧ ହୋଇଛନ୍ତି । ସେହିଭଳି ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ କ୍ରାଇମବ୍ରାଞ୍ଚ ପୋଲିସ ଅଫିସିୟର ଭୂମିକା ମଧ୍ୟ ତାଙ୍କ ଜୀବନର ଏକ ମାଇଲ ଖୁଣ୍ଟ ହେବ ବୋଲି ପ୍ରକାଶ କରିଥିଲେ। ଚଳଚ୍ଚିତ୍ରରେ ଅଭିନେତା ହର ରଥଙ୍କ  ଓକିଲ ଭୂମିକା ଓ ସାହିତ୍ୟିକ ହରପ୍ରସାଦ ଦାସଙ୍କ  ବିଚାରପତି ଭୂମିକା ମଧ୍ୟ ନିଚ୍ଛକ ଓ ଲୋକାଦୃତ ହେବ ବୋଲି ଦୃଢ ଆଶା କରାଯାଇଛି।   

 ଅନେକ ବର୍ଷ ଧରି ଆମ ସମାଜରେ କିପରି ନିଷ୍ଠୁର ନାରୀ ନିର୍ଯାତନା ଚାଲି ଆସିଛି ଚଳଚ୍ଚିତ୍ର ଦୃଷ୍ଟିକୋଣ ଏହା ଉପରେ ଗଭୀର ରେଖାପାତ କରିଛି। ମଦ ଓ ଡ୍ରଗ୍ସ ନିଶାରେ ହିତାହିତ ଜ୍ଞାନ ହରାଇଥିବା କିଛି ଯୁବକଙ୍କ ଦ୍ୱାରା ଜଣେ ଯୁବତୀ ଗଣଦୁଷ୍କର୍ମର ଶୀକାର ହେଲେ ପ୍ରମାଣ ନଷ୍ଟ କରିବା ପାଇଁ ପୀଡିତାଙ୍କ ସହ ତାଙ୍କ ଭାବି ସ୍ୱାମୀଙ୍କୁ ମଧ୍ୟ ହତ୍ୟା କରାଗଲା। ମାମଲା କୋର୍ଟରେ ପହଁଞ୍ଚିବା ପରେ ମୃତା ପୀଡିତାଙ୍କ ଚରିତ୍ର ସଂହାର ଆରମ୍ଭ ହୋଇଗଲା। ତେବେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାର ଦାୟିତ୍ୱ ଏବେ କେବଳ ଜଣେ ମହିଳା ପୋଲିସ ଅଧିକାରୀ ଓ ଜଣେ ଲଢୁଆ ସରକାରୀ ଓକିଲଙ୍କ ଉପରେ ନ୍ୟସ୍ଥ ଥିଲା । ଏପରି ଏକ କାହାଣୀକୁ ଆଧାର କରି ଚଳଚ୍ଚିତ୍ର ଦୃଷ୍ଟିକୋଣକୁ ପ୍ରସ୍ତୁତ କରା ଯାଇଛି ।

ଏହି ଚଳଚ୍ଚିତ୍ର ସାରା ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ଆସନ୍ତା ମେ ୨୭ ରେ ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ବରିଷ୍ଠ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ସିନେମାରେ ପ୍ରଯୋଜନା କରିଥିବା ବେଳେ ଅଭିଜ୍ଞ ନିର୍ଦ୍ଦେଶକ ସୁଶାନ୍ତ ମଣି ନିର୍ଦ୍ଦେଶନା ଦେଇଛନ୍ତି। ମୁଖ୍ୟ ଭୂମିକାରେ ଏଲିନା ସାମନ୍ତରାୟ , ଶୁଭଶ୍ରୀ ନାୟକ(ଲିଜା) , ଅଙ୍କିତ ମହାନ୍ତି , ହର ରଥ , ଚୈଧୁରୀ ବିକାଶ ଦାସ , ସାହିତ୍ୟିକ ହର ପ୍ରସାଦ ଦାସ ପ୍ରମୁଖ ଅଭିନୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.