ଚୀନ୍ ଶତ୍ରୁ କିଣୁଛି: ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ଉପରେ କ୍ଷୁବ୍ଧ ଜିନପିଙ୍ଗ୍ ସରକାର, ଦେଲା ଧମକ

Published By : Prameya-News7 Bureau | July 03, 2020 IST

ବେଜିଂ, ୦୩|୦୭ :  ହଙ୍ଗକଙ୍ଗ ପ୍ରସଙ୍ଗରେ ବିଶ୍ୱର ଅନେକ ଦେଶ ଚୀନକୁ ଘେରିବାରେ ଲାଗିଛନ୍ତି । ଚୀନ ହଙ୍ଗକଙ୍ଗର ସ୍ୱତନ୍ତ୍ରତା ଶେଷ କରିବାକୁ ନୂଆ ରାଷ୍ଟ୍ରୀୟ ସୁରକ୍ଷା ଆଇନ୍ ଲାଗୁ କରିଛି। ଏହାକୁ ହଙ୍ଗକଙ୍ଗ ସମେତ ସାରା ବିଶ୍ୱ ବିରୋଧ କରୁଛନ୍ତି । ଭାରତ, ଆମେରିକା, ଜାପାନ ଓ ଋଷ ପରେ ଚୀନର ବିବାଦଖୋର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । ଏବେ ଅଷ୍ଟ୍ରେଲିଆ ଓ ବ୍ରିଟେନକୁ ଧମକ ଦେଇଛି ଡ୍ରାଗନ୍ । ଗୁରୁବାର ଅଷ୍ଟ୍ରେଲିଆ ଓ ବ୍ରିଟେନ ହଙ୍ଗକଙ୍ଗବାସୀଙ୍କୁ ଅଭୟ ପ୍ରଦାନ କରିଥିଲେ । ଏହାକୁ ନେଇ ଚୀନ ପ୍ରତିକ୍ରିୟା ପ୍ରକାଶ କରିଛି । ଏହାସହ ଏହି ଦୁଇ ଦେଶକୁ ଚୀନ ଚେତାବନୀ ଦେଇଛି ।

ବ୍ରିଟେନର ଉପନିବେଶ ଥିବା ହଙ୍ଗକଙ୍ଗକୁ ଚୀନକୁ ୧୯୯୭ରେ ପ୍ରଦାନ କରାଯାଇଥିଲା । ବ୍ରିଟେନ୍ ଚୀନରୁ ଏହି ସହରକୁ ୨୦୪୭ ଯାଏଁ ସ୍ୱାଧିନତା ପ୍ରଦାନ କରିବାକୁ ଆଶ୍ୱାସନା ଦେଇଥିଲା ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ କହିଛନ୍ତି ଯେ, ହଙ୍ଗକଙ୍ଗର ସ୍ଥିତି ଚିନ୍ତାଜନକ ରହିଛି । ତାଙ୍କ ସରକାର ସେଠାକାର ନାଗରିକଙ୍କୁ ନିଜ ଦେଶରେ ସ୍ୱାଗତ କରିବା ନେଇ ବିଚାର କରୁଛନ୍ତି । ଅଷ୍ଟ୍ରେଲିଆ ମାଇଗ୍ରେଟ୍ ଭିସା ଦ୍ୱାରା ହଙ୍ଗକଙ୍ଗବାସୀଙ୍କୁ ନିଜ ଦେଶର ନାଗରିକତା ପ୍ରଦାନ କରିପାରେ  ।

ଏବେ ଚୀନ ଅଷ୍ଟ୍ରେଲିଆକୁ ଧମକ ଦେବା ଆରମ୍ଭ କରିଦେଇଛି । ଚୀନ୍ କହିଛି ଯେ, ସୁରକ୍ଷା ଆଇନକୁ ଠିକ୍ ଭାବେ ଦେଖାଯାଉ । ହଙ୍ଗକଙ୍ଗ ସମେତ ଚୀନର କୌଣସି ଆନ୍ତରିକ ମାମଲାରେ ଦଖଲ ଦେବା ଅଷ୍ଟ୍ରେଲିଆ ବନ୍ଦ କରୁ । ଏହାସହ ଭୁଲ ରାସ୍ତାରେ ଅଷ୍ଟ୍ରେଲିଆ ନବଢୁ ବୋଲି ସେ କହିଛନ୍ତି ।

ବ୍ରିଟେନ ମଧ୍ୟ ହଙ୍ଗକଙ୍ଗର ସାଢେ ୩ ଲକ୍ଷ ବ୍ରିଟିଶ ପାସପୋର୍ଟଧାରୀ ଓ ୨୬ ଲକ୍ଷ ଅନ୍ୟ ଲୋକଙ୍କୁ ବ୍ରିଟେନରେ ୫ ବର୍ଷ ଯାଏଁ ରହିବା ପାଇଁ ରାସ୍ତା ଖୋଲିଯାଇଛି । ଏହାପରେ ସେମାନେ ବ୍ରିଟେନ ନାଗରିକତା ପାଇଁ ଆବେଦନ କରିପାରିବେ । ଚୀନ୍ ଏହାକୁ ନେଇ କହିଛି ଯେ, ବ୍ରିଟେନ ନିୟମ ଉଲଙ୍ଘନ କରୁଛି । ଏପରିକି ଆବଶ୍ୟକ ହେଲେ ବ୍ରିଟେନ ସାଙ୍ଘାତିକ ଫଳ ଭୋଗିବା ବୋଲି ଚୀନ କହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.