ଵରଗଡ଼ରେ ଭାଇ ଭଉଣୀଙ୍କ ସନ୍ଦେହ ଜନକ ମୃତ୍ୟୁ
24/08/2018 at 4:37 AM

ବରଗଡ଼ ୨୪/୮ : ଵରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଲି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ରକ୍ଷା ବନ୍ଧନକୁ ଆଉ ଦୁଇଦିନ ବାକିରହିଥିବା ବେଳେ ରକ୍ଷାବନ୍ଧନର ଦିନକ ପୂର୍ବରୁ ହିଁ ଗୋଟିଏ ପରିବାରର ଉଭୟ ଭାଇ ଭଉଣୀଙ୍କର ହଠାତ ମୃତ୍ୟୁ ହୋଇଯିବା ଘଟଣା ଯୋଗୁଁ ସିଂହପାଲି ଗାଁରେ ଶୋକର ଛାୟା ଖେଳିଯାଇଛି।
ଅତାବିରା ପୋଲିସର ସୁଚନା ଅନୁଯାୟୀ ଦାସରଥି ମେହେରଙ୍କ ୨୫ ବର୍ଷର ପୁଅ ବିକାଶ ମେହେର ଓ ୨୦ ବର୍ଷର ଝିଅ ମିନତି ମେହେର ଗତ କାଲି ରାତି ୧୧ ଟା ରେ ଖାଇସାରି ଶୋଇଥିଲେ , ଆଜି ସକାଳେ ପ୍ରାୟ ଘ ୫.୩୦ ମିନିଟରେରେ ସାନ ଭଉଣୀ ଅଙ୍କିତା ଶୌଚ ଯିବା ପାଇଁ ନିଦରୁ ଉଠି ବଡ଼ଭଉଣୀ ମିନତିକୁ ଉଠାଇଥିଲେ ହେଲେ ସେ ଆଦୌ ଉଠିନଥିଲେ । ତେବେ ଅଙ୍କିତା ପାଖ କୋଠାରେ ଶୋଇଥିବା ବାପା ମାଙ୍କୁ ଜଣାଇ ଥିଲେ । ଏହା ପରେ ଘର ଲୋକେ ପହଂଚି ଦେଖିବାରୁ ଉଭୟ ପୁଅ ଓ ଝିଅ କେହି ମଧ୍ୟ ଉଠିନଥିଲେ ।
ଉଭୟଙ୍କର ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରିଥିଲେ ପରିବାର ଲୋକେ। ଅତାବିରା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଅତାବିରା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି । ତେବେ ଉଭୟ ଭାଇ ଭଉଣୀଙ୍କ ଏପରି ଆକସ୍ମିକ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେ ନେଇ କୌଣସି କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣା ର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।