୧୩ ଶିଶୁଙ୍କ ଅପହରଣ ଏବଂ ୯ ହତ୍ୟା ମାମଲାରେ ଦୋଷୀ ସୀମା ଏବଂ ରେଣୁକାଙ୍କ ଫାଶୀ ରଦ୍ଦ, ଆଜୀବନ କାରାବାସରେ ବଦଳିଲା ମୃତ୍ୟୁ ଦଣ୍ଡ

Published By : Prameya-News7 Bureau | January 18, 2022 IST

ବମ୍ୱେ,୧୮/୦୧: ବମ୍ୱେ ହାଇକୋର୍ଟ ଦୁଇ ଦଶନ୍ଧୀ ପୁରୁଣା ବହୁ ଚର୍ଚ୍ଚିତ ଅପହରଣ ଏବଂ ହତ୍ୟା ମାମଲାର ଦୋଷୀ ଦୁଇ ଭଉଣୀଙ୍କ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାବାସକୁ ବଦଳାଇଛନ୍ତି। ଫାଶୀ ଦଣ୍ଡାଦେଶ ପରେ ଦୁଇ ଭଉଣୀଙ୍କ କ୍ଷମା ଆବେଦନ ରାଜ୍ୟ ସରକାରଙ୍କ ପାଖରେ ପ୍ରାୟ ଆଠ ବର୍ଷରୁ ଅଧିକ ସମୟ ଧରି ପଡି ରହିଛି। ଏହାକୁ ଆଧାର କରି ହାଇକୋର୍ଟ ଫାଶୀ ଦଣ୍ଡକୁ ଆଜୀବନ ଜେଲଦଣ୍ଡ କରିଛନ୍ତି ।

୧୯୯୦ରୁ ୧୯୯୬ ମସିହା ମଧ୍ୟରେ ରେଣୁକା ସିନ୍ଦେ ଏବଂ ସୀମା ଗବିତା ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳର ୧୩ ଜଣ ଶିଶୁଙ୍କୁ ଅପହରଣ ଏବଂ ଏମାନଙ୍କ ଭିତରୁ ୯ ଜଣଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶିଶୁଙ୍କ ଅପହରଣ ଏବଂ ହତ୍ୟାରେ ଦୁହିଁଙ୍କ ମାଆ ଅଞ୍ଜନ ବାଇ ମଧ୍ୟ ସାମିଲ ଥିଲେ। ତେବେ ମାମଲାର ଶୁଣାଣି ଆରମ୍ଭ ପୂର୍ବରୁ ୧୯୯୭ ମସିହାରେ ଅଞ୍ଜନା ବାଇଙ୍କ ମୃତ୍ୟୁ ହୋଇ ସାରିଥିଲା।

ରେଣୁକା ସିନ୍ଦେ ଏବଂ ସୀମା ଗବିତା, ଦୁଇ ଭଉଣୀ ନିଜ ମାଆଙ୍କ ସହ ମିଶି ନିରିହ ଶିଶୁଙ୍କୁ ଅପହରଣ କରି ସେନାଙ୍କୁ ଅପରାଧିକ କାର୍ଯ୍ୟରେ ନିୟୋଜିତ କରୁଥିଲେ। ଲକ୍ଷ୍ୟ ହାସଲ ହେବା ପରେ ସେମାନଙ୍କୁ ଅତି ନୃସଂଶ ଭାବେ ହତ୍ୟା କରୁଥିଲେ। ପୋଲିସ ସେମାନଙ୍କ ନିକଟରେ ପହଞ୍ଚିବା ବେଳକୁ ୧୩ଟି ଅପହରଣ ଏବଂ ୯ଟି ହତ୍ୟା କରିସାରିଥିଲେ। ମାମଲା ଶୁଣାଣି ପରେ ୨୦୦୧ ମସିହାରେ କୋହ୍ଲାପୁର କୋର୍ଟ ଦୁଇ ଭଉଣୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ। ୨୦୦୪ ମସିହାରେ ହାଇକୋର୍ଟ ତଳ କୋର୍ଟର ରାୟକୁ କାଏମ ରଖିଥିଲେ। ଏହାପରେ ୨୦୦୬ ମସିହାରେ ମାମଲା ସୁପ୍ରିମକୋର୍ଟ ପହଞ୍ଚିଥିଲା । ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଖାରଜ କରିଥିଲେ । ଏହାପରେ ରାଷ୍ଟ୍ରପତିଙ୍କ ନିକଟରେ ରାଜ କ୍ଷମା ପାଇଁ ଆବେଦନ କରିଥିଲେ, ଯାହାକୁ ୨୦୧୪ ମସିହାରେ ଖାରଜ କରାଯାଇଥିଲା।

ରାଷ୍ଟ୍ରପତିଙ୍କ ଠାରୁ ଆବେଦନ ଖାରଜ ହେବାର ୮ବର୍ଷ ପରେ ଦୁଇ ବର୍ଷ ପରେ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ଦୁଇ ଭଉଣୀଙ୍କ ଯୁକ୍ତି ଥିଲା, ଫାଶୀ ଉପରେ ସୁପ୍ରିମକୋର୍ଟଙ୍କ ମୋହର ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ଦୟା ଯାଚିକା ଖାରଜ ହେବାର ଆଠ ବର୍ଷ ବିତି ସାରିଛି। ଦୁଇ ଭଉଣୀ ଆଠ ବର୍ଷର ସମୟକୁ ଅନୁଚିତ ଦର୍ଶାଇବା ସହ ଏହି ସମୟରେ ଦୁହେଁ ଅତ୍ୟଧିକ ମାନସିକ ନିର୍ଯାତନା ସହିଥିବା କହିଥିଲେ ।

ପ୍ରକ୍ରିୟା ଅନୁସାରେ, ସୁପ୍ରିମକୋର୍ଟ ଥରେ ମୃତ୍ୟୁ ଦଣ୍ଡ ରାୟ ଉପରେ ମୋହର ମାରିବା ପରେ, ଦୋଷୀ ରାଷ୍ଟ୍ରପତିଙ୍କ ନିକଟରେ ରାଜ କ୍ଷମା ପାଇଁ ପ୍ରାର୍ଥନା କରିଥାଏ। ଦୟା ଯାଚିକା ଉପରେ ବିଚାର କରିବାରେ ରାଷ୍ଟ୍ରପତିଙ୍କୁ କିଛି ଅସୁବିଧା ହେଲେ ଏଥିରେ ରାଜ୍ୟ ସରକାରଙ୍କ ପରାମର୍ଶ ମଗାଯାଇଥାଏ । ଯାହା ଆଧାରରେ ରାଷ୍ଟ୍ରପତି ନିଷ୍ପତ୍ତି ନେଇଥାନ୍ତି।

ହାଇକୋର୍ଟ ମଙ୍ଗଳବାର ନିଜର ରାୟରେ କହିଛନ୍ତି, ‘ ରାଜ କ୍ଷମା ମାମଲାର ବିଚାର ଶେଷ କରିବାକୁ ୭ ବର୍ଷ ୧୦ ମାସ ଏବଂ ୧୫ ଦିନର ବିଳମ୍ୱ ହୋଇଥିବା ତଥ୍ୟ ଏବଂ ପରିସ୍ଥିତିରୁ ଜଣାପଡିଛି। ଏଥିପାଇଁ ସମ୍ପୂର୍ଣ୍ଣ ରୁପେ ଅଧିକାରୀ, ସରକାର, ଖାସକରି ରାଜ୍ୟ ସରକାର ଦାୟୀ। ହାଇକୋର୍ଟ ଦୁଇ ଭଉଣୀଙ୍କ ମାମଲା ଶୁଣାଣି ଡିସେମ୍ୱର ୨୨ରେ ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.